Odia News Portal

ପବିତ୍ର ମକର ସଂକ୍ରାନ୍ତିର,କ’ଣ ରହିଛି ମାନ୍ୟତା…..

ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଇଂଲିସ କ୍ୟାଲେଣ୍ଡର ହିସାବରେ ପ୍ରତିବର୍ଷ ଜାନୁଆରୀ ୧୪ କିମ୍ବା ୧୫ରେ ଆସିଥାଏ ମକର ।ଆଜିର ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।ତେବେ ଏହି ପର୍ବକୁ ଓଡ଼ିଶାରେ ବହୁତ ଧୁମ୍ ଧାମରେ ପାଳନ କରାଯାଇଥାଏ। ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବରେ ମକର ପାଳିତ ହୋଇଥାଏ। କେଉଁଠି କୁକୁଡ଼ା ଲଢ଼େଇ କରି ଏହି ପର୍ବକୁ ପାଳନ କରାଯାଇଥାଏ ତ ପୁଣି କେଉଁଠି ଭଗବାନଙ୍କୁ ଆରାଧନା କରି ଏହି ପର୍ବକୁ ପାଳନ କରାଯାଇଥାଏ । ତେବେ ପୌରାଣିକ ମାନ୍ୟତା ଅନୁଯାୟୀ:-

  • ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ଭାଗୀରଥିଙ୍କ ପଛେ ପଛେ ଚାଲି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗର ସହ ମିଶିଥିଲେ ।
  • ମାନ୍ୟତା ଏହା ଯେ, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ନେଇ ବ୍ରତ ରଖିଥିଲେ ।
  • ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବାକୁ ‘ମକର ସଂକ୍ରାନ୍ତି’ କୁହାଯାଏ ।
  • ମହାରାଷ୍ଟ୍ରରେ ବିଶ୍ୱାସ କରାଯାଏ କି ମକରସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଗତି ଧିରେ ଧିରେ ବଢେ । ଏଥିପାଇଁ ଏହି ଦିନ ରାଶିର ବିଭିନ୍ନ ମିଷ୍ଠାନ ତିଆରି କରି ଉଭୟ ଉଭୟଙ୍କୁ ବାଣ୍ଟିଥାନ୍ତି ଏବଂ ଶୁଭକାମନା ଦେଇ ଉତ୍ସବ ପାଳନ କରିଥାନ୍ତି ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ସମୟ ଗଣନା ଅନୁସାରେ ସୂର୍ଯ୍ୟ ମକର ରାଶିରୁ ମିଥୁନ ରାଶିକୁ ଗତି କରନ୍ତି ସେହି ସମୟକୁ ଉତ୍ତରାୟଣ କୁହାଯାଏ। ଏହି ସମୟ ୬ ମାସର ହୋଇଥାଏ। ଏହାପରେ ସୂର୍ଯ୍ୟ କର୍କଟ ରାଶିରୁ ଧନୁ ରାଶିକୁ ଯାଇଥାନ୍ତି। ଏହାକୁ ଦକ୍ଷିଣାୟନ କୁହାଯାଏ। ସୂର୍ଯ୍ୟଙ୍କ ଉତ୍ତରାୟଣକୁ ବହୁତ ଶୁଭ ବୋଲି କୁହାଯାଏ। ସେଥିପାଇଁ ଏହି ସମୟରେ ସବୁ ପ୍ରକାର ଶୁଭ କାର୍ଯ୍ୟ ହୋଇଥାଏ। ଏହି ସମୟରେ କରାଯାଉଥିବା ପୁଣ୍ୟ କର୍ମର ୧୦୦ ଗୁଣ ଫଳ ମିଳିଥାଏ ବୋଲି କୁହାଯାଏ।

ମକର ସଂକ୍ରାନ୍ତିର ଏତେ ମହତ୍ତ୍ୱ ରହିଛି ଯେ ଦେଶର ବିଭିନ୍ନ ଭାଗରେ ଏହି ପର୍ବର ଭିନ୍ନ ଭିନ୍ନ ନାଁ ରହିଛି। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଆନ୍ଧ୍ର ପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି କୁହାଯାଏ। ମକର ସଂକ୍ରାନ୍ତିରେ ଡାଲି ଓ ଚାଉଳରେ ତିଆରି ଖେଚେଡ଼ି ଖାଇବା ଓ ଦାନ କରିବାର ଅନେକ ମହତ୍ତ୍ୱ ରହିଛି। ଚାଉଳକୁ ଚନ୍ଦ୍ରମାର ପ୍ରତୀକ ଭାବେ ଗ୍ରହଣ କରାଯାଏ ଏବଂ ଡାଲି ଶନିଙ୍କ ପ୍ରତୀକ। ସବୁଜ ପରିବା ବୁଧଙ୍କ ପ୍ରତୀକ। ଏ ସମସ୍ତଙ୍କ ସମ୍ପର୍କ ମିଶ୍ରଣ ମଙ୍ଗଳ ଓ ସୂର୍ଯ୍ୟଙ୍କ ସହ ରହିଛି। ସେଥିପାଇଁ ଏହି ଖେଚେଡ଼ି ସେବନ କଲେ ଏହିସବୁ ଗ୍ରହଙ୍କ ସକାରାତ୍ମକ ପ୍ରଭାବ ପଡିଥାଏ।ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି ।