Odia News Portal

ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ଭାରତରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଦ୍ୱାରା ସଂଗୃହିତ ୧୨ଟି ନମୁନା ମଧ୍ୟରୁ ଶୁକ୍ରବାର ଦୁଇଟି ପଜିଟିଭ୍ ଚିହ୍ନଟ ହୋଇଛି । ଆକ୍ରାନ୍ତ ଦୁଇ ବ୍ୟକ୍ତିଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲ୍ଏନଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇ ରୋଗୀଙ୍କ କୌଣସି ଭ୍ରମଣ ଇତିହାସ ନାହିଁ | ଦିଲ୍ଲୀ ଏମ୍ସ ମାଇକ୍ରୋବିଓଲୋଜି ବିଭାଗର ପ୍ରଫେସର ଡ଼ଃ ଲଲିତ ଦର୍ କହିଛନ୍ତି, ମଙ୍କିପକ୍ସ ନମୁନା ପରୀକ୍ଷଣ ପାଇଁ ସାରା ଦେଶରେ ୧୫ଟି ଲାବୋରେଟୋରୀ ଆଇସିଏମଆର ଦ୍ୱାରା ଅନୁମତି ପ୍ରାପ୍ତ ହୋଇସାରିଛି। ଏହାପୂର୍ବରୁ ଦିଲ୍ଲୀ ଏମ୍ସ ଏପର୍ଯ୍ୟନ୍ତ ସନ୍ଦିଗ୍ଧ ମଙ୍କିପକ୍ସ ମାମଲାର ୧୨ଟି ନମୁନା ପରୀକ୍ଷା କରିଛି। ଭାଇରୋଲୋଜି ଲ୍ୟାବ୍, ଏମ୍ସ, ଦିଲ୍ଲୀ ହେଉଛି ଦେଶର ୧୫ଟି ଲାବୋରେଟୋରୀ ମଧ୍ୟରୁ ଅନ୍ୟତମ ଯାହାକି ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗ – ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ସ୍ବୀକୃତିପ୍ରାପ୍ତ | ଆଉ ଦୁଇ ରୋଗୀଙ୍କ ଚିହ୍ନଟ ସହ ଦେଶରେ ମୋଟ ମଙ୍କିପକ୍ସ ମାମଲା ୧୧ରେ ପହଞ୍ଚିଛି।

ଦେଶରେ ବୃଦ୍ଧି ପାଉଥିବା ମଙ୍କିପକ୍ସ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହି ରୋଗ ବିରୋଧରେ ଲଢେଇରେ ପଦକ୍ଷେପ ସମ୍ପର୍କରେ ଏହି ଟାସ୍କ ଫୋର୍ସ ସରକାରଙ୍କ ମାର୍ଗ ଦର୍ଶନ କରିବ।