Odia News Portal

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ ପୁଲିସ

ଗିରଫ ହେଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି କୁହାଯାଉଛି। ସୋମବାର ଜଣେ ଅଜ୍ଞାତ ବ୍ୟକ୍ତି ‘ରିଲାଏନସ୍ ଫାଉଣ୍ଡେସନ୍’ର ‘ହରକିଷନଦାସ ହସ୍ପିଟାଲ୍’ ନମ୍ବରକୁ ଫୋନ କରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତଜଣକ ଗିରଗାଓଁ ଅଞ୍ଚଳରେ ଅବସ୍ଥିତ ରିଲାଏନ୍ସ ଫାଉଣ୍ଡେସନର ହସ୍ପିଟାଲର ଲ୍ୟାଣ୍ଡଲାଇନ ନମ୍ବରକୁ ସକାଳ ପ୍ରାୟ ୧୦.୩୦ ସମୟରେ ତିନିରୁ ଚାରିଥର ଫୋନ କରିଥିଲେ। କଲ୍ କରି ସେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଲ୍ କରିଥିବା ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଏଭଳି ଭୁଲ କରିଛନ୍ତି। ତେବେ ବ୍ୟକ୍ତିଙ୍କୁ ଗିରଫ କରି ଏବେ ପୁଲିସ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।