Odia News Portal

ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ନବାଙ୍କ ବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଆଜି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଇଥାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରାଯାଉଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଶୋଭା ପାଇଥାଏ । ସାଧାରଣ ଦିନମାନଙ୍କରେ ଚତୁର୍ଦ୍ଧା ବିଗ୍ରହଙ୍କ ଠାରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀ ପତ୍ର ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ ।

ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ। ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି। ଆଜି ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି।