Odia News Portal

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲେ ନୀରଜ ଚୋପ୍ରା

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା ଆଗାମୀ ବର୍ମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛନ୍ତି। ଆଘାତ କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନିକଟରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲ ବେଳେ ସେ ଆହତ ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରୁ ନୀରଜଙ୍କ ଓହରିବା ସମ୍ପର୍କରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମହାସଚିବ ରାଜୀବ ମେହେଟ୍ଟା ସ୍ପଷ୍ଟ କରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲ ସମୟରେ ନୀରଜ ଆହତ ହୋଇଥିଲେ। ଇଭେଣ୍ଟ ସମୟରେ ସେ ତାଙ୍କ ଜଙ୍ଘରେ ବ୍ୟାଣ୍ଡେଜ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଯେଉଁଥିରେ ଗ୍ରୋଇନ ଇଞ୍ଜୁରୀ ସ୍ପଷ୍ଟ ହୋଇଥିଲା | ତାଙ୍କୁ ତିନି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଫାଇନାଲ ପରେ ନୀରଜ ନିଜେ ମଧ୍ୟ କହିଥିଲେ ଯେ ଚତୁର୍ଥ ଥ୍ରୋ ପରେ ସେ ଟିକିଏ ଯନ୍ତ୍ରଣା ଅନୁଭବ କରିଥିଲେ | ଏହା ପରେ ମୁଁ ବ୍ୟାଣ୍ଡେଜ୍ ବାନ୍ଧି ପରବର୍ତ୍ତୀ ଥ୍ରୋ କରିଥିଲି | ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପରେ ନୀରଜ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ । ଅଞ୍ଜୁ ବବି ଜର୍ଜଙ୍କ ପରେ ନୀରଜ ଦ୍ବିତୀୟ ଭାରତୀୟ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ଜିତିଥିଲେ ।

୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ଜିତିଥିଲେ | ସେ ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାର ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ | ଏଥର ମଧ୍ୟ ସେ ସ୍ବର୍ଣ୍ଣ ଜିତିବା ପାଇଁ ଦୃଢ ଦାବିଦାର ଥିଲେ। ନୀରଜଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ରୋହିତ ଯାଦବଙ୍କ ଉପରେ ଭାରତର ଆଶା ନିର୍ଭର କରିବ ।