Odia News Portal

ଚିନ୍ତା ବଢାଉଛି ଓମିକ୍ରନର ସବ୍ ଭାରିଆଣ୍ଟ

ଦେଶରେ ଚିନ୍ତା ବଢାଇଲା ଓମିକ୍ରନର ସବ୍‌ -ଭାରିଆଣ୍ଟ BA. ୨ । ଭାରତରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ଜରିଆରେ ୫୩୦ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କେବଳ ଭାରତ ନୁହେଁ ବିଶ୍ବର ୪୦ ଦେଶରେ BA.୨ ମାତିଲାଣି । ପ୍ରଥମେ ଗତ ଡିସେମ୍ବର ୬ରେ ଏହି ଭାରିଆଣ୍ଟର ସଂକ୍ରମଣ ସୂଚନା ମିଳିଥିଲା । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୪୨୬ ଜଣ BA.୨ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଥିରୁ କେବଳ ଲଣ୍ଡନରେ ୧୪୬ କେସ୍ ରହିଛି ।
ତେବେ ଓମିକ୍ରନ ତୁଳନାରେ BA.୨ ଅଧିକ ସଂକ୍ରାମକ ଏବଂ ଅଧିକ ବେଗରେ ସଂକ୍ରମଣ ସୃଷ୍ଟି କରୁଛି ବୋଲି ସୂଚନା ମିଳିଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା ବା ୟୁକେଏଚଏସଏ ପକ୍ଷରୁ କୁହାଯାଇଛି- BA.୨ ଏକ ମାମୁଲି ଭାରିଆଣ୍ଟ ନୁହେଁ । ଏହା ଅଧିକ ବିପଜ୍ଜନକ । ଏହାର କୌଣସି ସ୍ବତନ୍ତ୍ର ମ୍ୟୁଟେସନ ହୋଇନାହିଁ । ତେଣୁ ଏହାକୁ ଡେଲଟା ପରି ଏକ ନୂଆ ଭାରିଆଣ୍ଟ ବୋଲି ବିଚାର କରାଯାଇପାରେ । ଡେଲଟା ଓ ଓମିକ୍ରନ ତୁଳନାରେ BA.୨ ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଏବଂ ୪୦ ଦେଶରେ ଏବେ ଏହି ସବ୍-ଭାରିଆଣ୍ଟ ଚିନ୍ତା ସୃଷ୍ଟି କଲାଣି ।
ଏହି ଭାରିଆଣ୍ଟ ଯୋଗୁ ଅନ୍ୟ ଭାରିଆଣ୍ଟ ପରି ସଂକ୍ରମଣ ପିକ୍କୁ ଯାଇପାରେ । ଏପରିକି ଏହି ଭାରିଆଣ୍ଟ ସାରା ୟୁରୋପ ଓ ଆମେରିକାରେ ପ୍ରଭାବ ବିସ୍ତାର କରିପାରେ । ବର୍ତ୍ତମାନ ସୁଦ୍ଧା ସ୍ବିଡେନରେ ୧୮୧, ସିଙ୍ଗାପୁରରେ ୧୨୭ BA.୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।