Odia News Portal

ସଂସଦରେ ଭାବବିହ୍ୱଳ ହେଲେ ମୋଦି

ନୂଆଦିଲ୍ଲୀ: ସଂସଦରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ | ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ ବିଦାୟ ବେଳେ ଭାବବିହ୍ୱଳ ହୋଇ ପଡିଥିଲେ। ରାଜ୍ୟସଭା ସାଂସଦ ଭାବେ ଗୁଲାମ ନବୀ ଆଜାଦଙ୍କ ଆଜି ଶେଷ ଦିନ। ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁଲାମ ନବୀ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମୁଁ ବି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲି। ଆମ ଭିତରେ ନିକଟ ସମ୍ପର୍କ ଥିଲା। ଥରେ ଗୁଜରାଟର କିଛି ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ହମଲା କରିଥିଲେ। ଏହି ହମଲାରେ ୮ଜଣ ପ୍ରାଣ ହରାଇଥିଲେ। ସେତେବେଳେ ଗୁଲାମ ନବୀ ସବୁଠାରୁ ପ୍ରଥମେ ମୋତେ ଫୋନ କରିଥିଲେ। ତାଙ୍କ ଆଖିରୁ ଲୁହ ଝରି ଯାଉଥିଲା।” ଏହି ଘଟଣା ସମ୍ପର୍କରେ କହି ମୋଦି ଭାବବିହ୍ୱଳ ହୋଇଯାଇଥିଲେ।

ମୋଦି ଆହୁରି ମଧ୍ୟ କହିଛନ୍ତି, “ସେଦିନ ରାତିରେ ଗୁଲାମ ନବୀ ଏୟାରପୋର୍ଟରେ ଥିଲେ। ସେ ମୋତେ ଫୋନ କରି ନିଜ ପରିବାର ସଦସ୍ୟ ଚିନ୍ତା କଲା ଭଳି ଚିନ୍ତା ଜାହିର କରିଥିଲେ। ସେତେବେଳେ ପ୍ରଣବ ମୁଖାର୍ଜୀ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେତେବେଳେ ମୁଁ ତାଙ୍କୁ କହିଥିଲି ମୃତକଙ୍କୁ ଆଣିବାକୁ ଯଦି ସେନା ବିମାନ ମିଳିଲେ ଭଲ ହୁଅନ୍ତା। ସେତେବେଳେ ସେ କହିଥିଲେ ଆପଣ ଚିନ୍ତା କରନ୍ତୁନି, ମୁଁ ବ୍ୟବସ୍ଥା କରୁଛି।”

ମୋଦି କହିଥିଲେ, ଗୁଲାମ ନବୀ ନିଜ ଦଳର ଯେତେ ଚିନ୍ତା କରୁଥିଲେ, ଦେଶ ଓ ସଂସଦର ମଧ୍ୟ ସେତିକି ଚିନ୍ତା କରୁଥିଲେ। ମୋଦି କହିଥିଲେ, ନିଜର ଅନୁଭବ ଓ ସ୍ଥିତି ଆଧାରରେ ସେ ଗୁଲାମ ନବୀ ଆଜାଦଙ୍କୁ ସମ୍ମାନ କରନ୍ତି । ରାଷ୍ଟ୍ର ପାଇଁ ତାଙ୍କର କାମ କରିବା ଅଭିଯାନ ଏମିତି ସବୁବେଳେ ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।ମୋଦି ଗୁଲାମ ନବୀ ଆଜାଦ, ସମଷେର ସିଂହ ଓ ମହମ୍ମଦ ପୌୟାଜ, ନାଦିର ଅହମଦ, ଏହି ୪ ମାନ୍ୟଗଣଙ୍କୁ ସଂସଦର ଶୋଭା ବଢାଇବାକୁ, ସେମାନଙ୍କ ଅନୁଭବ, କାର୍ଯ୍ୟ ଦକ୍ଷତା, ଦେଶକୁ ଓ ସଂସଦକୁ ନିଜ ଜ୍ଞାନର ଲାଭ ଦେଇଥିବା ଯୋଗୁଁ ଓ ନିଜ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ ପାଇଁ ଏମାନଙ୍କ ଯୋଗଦାନକୁ ଧନ୍ୟବାଦ ଜଣାଇଥିଲେ।