Odia News Portal

ପୋଲାର୍ଡ ପ୍ରହାରରେ ଚେନ୍ନାଇ ମାଟି କାମୁଡିଲା

ମୁମ୍ବାଇ : ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ସୁପର କିଙ୍ଗସ ଦେଇଥିବା ବିଶାଳ ଟାର୍ଗେଟକୁ ଶେଷ ବଲରେ ହାସଲ କଲା ମମ୍ବାଇ । ଆଇପିଏଲ ଲିଗ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମୁକାବିଲାରେ ୨୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି ।

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ଚେନ୍ନାଇର ବ୍ୟାଟସମ୍ୟାନ ଅମ୍ବତି ରାଇଡୁ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ୭୨ ରନ୍ କରିଥିଲେ । ଋତୁରାଜ ଗାୟକଓ୍ୱାଡ ଆଉଟ ହେବା ପରେ ମୋଇନ୍ ଅଲ୍ଲୀ ଓ ଫାପ୍ ଡୁପ୍ଲେସିସ୍ ୧୦୮ ରନ୍ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ । ମୋଇନ୍ ଅଲ୍ଲୀ ୫୮ ରନ୍ କରିଥିବା ବେଳେ ଡୁପ୍ଲେସିସ୍ ୫୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ୍ ହରାଇ ବିଶାଳ ୨୧୮ ରନ୍ ସ୍କୋର କରିଥିଲା ।

ଲକ୍ଷ୍ୟ ବଡ ଥିଲା । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡିକକ୍ ୩୮ ରନ୍ ଓ ରୋହିତ ୩୫ ରନ୍ କରି ଏକ ଦୃଢ ଓପନିଂ ଦେଇଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ କାୟରନ୍ ପୋଲାର୍ଡ । ସେ ବିଜୟର ମୂଳଦୁଆ ପକାଇଥିଲେ । ୩୪ ବଲରୁ ଖେଳିଥିଲେ ବିସ୍ଫୋରକ ୮୭ ରନ୍ ।

ତେବେ ଖେଳ ଶେଷ ଓଭର ବଲ୍ ଯାଏଁ ଯାଇଥିଲା । ଶେଷ ବଲରେ ମ୍ୟାଚ୍ ଜିତିଥିଲା ମୁମ୍ବାଇ । ପୋଲାର୍ଡ ଶେଷ ଯାଏଁ ଅପରାଜେୟ ରହିଥିଲେ ।  ଚେନ୍ନାଇ ପକ୍ଷରୁ ସାମ୍ କୁରେନ୍ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର, ମୋଇନ୍ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।