Odia News Portal

ଅନ୍ଧାରରେ ରାଜଧାନୀର ୨୫୦ ସ୍ଥାନ : ଲାଗିବ ଷ୍ଟ୍ରୀଟ୍ ଲାଇଟ୍‌

ସ୍ମାର୍ଟସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ଏକାଧିକ ଅଞ୍ଚଳ ବର୍ତ୍ତମାନ ଅନ୍ଧକାରରେ ରହିଛି । ଯେଉଁଠି ରାତି ହେଲେ ଯାତାୟାତ କରିବା କଷ୍ଟକର ହୋଇପଡ଼େ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗତ ଡିସେମ୍ବରରୁ ଏନେଇ ସବେର୍କ୍ଷଣ କରାଯାଇଥିଲା । ସବେର୍କ୍ଷଣ ପରେ ସହରରେ ଥିବା ଏଭଳି ୨୫୦ରୁ ଅଧିକ ଅନ୍ଧକାର ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଯେଉଁଠାରେ ଏପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇ ନାହିଁ । ତେବେ ସବେର୍କ୍ଷଣ ଆଧାରରେ ଷ୍ଟ୍ରିଟ ଲାଇଟ୍ ସହ ବଡ଼ ଛକଠାରେ ହାଇ-ମାଷ୍ଟ ଲାଇଟ ସ୍ଥାପନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକ ସହରର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ସହରର ପ୍ରମୁଖ ସ୍ଥାନ ଅଟେ ।

ବିଏମ୍‌ସି ଅଧିକାରୀଙ୍କ ସୂଚନାନୁସାରେ କେତେକ ଅଞ୍ଚଳରେ ଆଲୋକୀକରଣ ସଠିକ ଭାବେ କରାଯାଇନଥିବା ଅଭିଯୋଗ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ସର୍ବେକ୍ଷଣ ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଛି । ତେବେ ବିଏମ୍‌ସି ନିର୍ବାଚନ କାରଣରୁ କାର୍ଯ୍ୟ ଆରମ୍ଭରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଆବଶ୍ୟକତା ଉପରେ ଆଧାର କରି ସେହି ସ୍ଥାନଗୁଡ଼ିକରେ ଏଲ୍‌ଇଡି କିମ୍ବା ହାଇ-ମାଷ୍ଟ ଲାଇଟ ଲଗାଯିବ । ବର୍ତ୍ତମାନ ସହରର କିଛି ଅଞ୍ଚଳ ଷ୍ଟ୍ରିଟ ଲାଇଟ୍ ବିନା ରହିଯାଇଛି । ପୁଲିସ ଏବଂ ଜୋନାଲ ଡେପୁଟି କମିଶନରଙ୍କ ସହ ଆଲୋଚନା ପରେ ଲାଇଟ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ଉକ୍ତ ଅଞ୍ଚଳକୁ ସର୍ବେକ୍ଷଣ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସହରର ବିଭିନ୍ନ ମୁଖ୍ୟ ରାସ୍ତା ତଥା ଅନ୍ୟାନ୍ୟ ରାସ୍ତା ସହ ଛକ ଆଦି ସ୍ଥାନରେ ପ୍ରାୟ ୮୦ ହଜାର ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି । ବିଏମ୍‌ସି ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର୍ ସୁକାନ୍ତ କୁମାର ସାବତଙ୍କ ସୂଚନାନୁସାରେ ୪୬ଟି ହାଇ-ମାଷ୍ଟ ସହିତ ମୋଟ୍ ୨୫୦ଟି ଲାଇଟ୍ ଲଗାଯିବ । ରେଡ୍‌କ୍ରସ ଛକ, ସାଇନ୍ସ ପାର୍କ ଛକ, ଭରତପୁର ଜିଏ କଲୋନୀ, ଲିଙ୍ଗରାଜ ରେଳଷ୍ଟେସନ ଛକ, ନୟାପଲ୍ଲୀ ଥାନା ଛକ, ଏବଂ ପଳାଶପଳ୍ଲୀ ଛକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରାଯାଇନଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।

ସୂଚନା ଥାଉ କି, ୨୦୨୧-୨୨ ଆଥିର୍କ ବର୍ଷରେ, ବିଏମ୍‌ସି ୯୦୦୦ ଷ୍ଟ୍ରିଟ ଲାଇଟ୍ ସ୍ଥାପନ କରିଥିବାବେଳେ ୨ ବାହୁ ତଥା ୪ ବାହୁ ବିଶିଷ୍ଟ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍ ଲଗାଯାଇଛି । ଗତ ବର୍ଷ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର-ପୁରୀ ବାଇପାସ୍ ରାସ୍ତାରେ ପଳାଶୁଣୀ ଠାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ୧୨ କିଲୋମିଟର ଦୂର ସହରର ସର୍ବବୃହତ ଷ୍ଟ୍ରିଟ ଲାଇଟ୍ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ୩୮୭ ଖୁଣ୍ଟରେ ସମୁଦାୟ ୭୭୪ ଏଲଇଡି ଲାଇଟ ଲଗାଯାଇଥିଲା । ୨୦୧୧ ପର ଠାରୁ ଷ୍ଟ୍ରିଟ ଲାଇଟ ଭାବେ ଏଲଇଡି ସ୍ଥାପନ କରାଯାଉଥିବାବେଳେ ଏହା ବିଲ୍ ପରିମାଣ କମାଇବାରେ ସହାୟକ ହେଉଥିବା କୁହାଯାଉଛି ।