Odia News Portal

ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ବୁଲିଲେ ସମ୍ବିତ

ଶ୍ରୀମନ୍ଦିର ହେରିଟେଜ କରିଡର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ବେଆଇନ ଭାବେ କାର୍ଯ୍ୟ କରାଯାଉଛି । ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରୁନାହାନ୍ତି। ହାଇକୋର୍ଟରେ ଏଏସଆଇ ରିପୋର୍ଟ ଅନୁଯାୟୀ, ନିର୍ମାଣ କାର୍ଯ୍ୟ ନିଷିଦ୍ଧାଞ୍ଚଳରେ ହେଉଛି । ସମ୍ବିତ ପାତ୍ର ଶ୍ରୀମନ୍ଦିର ଓ ନିର୍ମାଣ ଅଂଚଳ ବୁଲି ଦେଖିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସମ୍ବିତ ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ବୁଲିଥିଲେ ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରେ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ସମ୍ବିତ ପାତ୍ର ଯାହା କହୁଛନ୍ତି, ଯାହା କରୁଛନ୍ତି ସବୁ ଡ୍ରାମା । ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ନିର୍ବାଚନ ବେଳେ ପୋଖରୀରେ ଗାଧୋଉ ଥିଲେ, ପିଣ୍ଡାରେ ଖାଉଥିଲେ, ଜଗନ୍ନାଥଙ୍କୁ ଧରି ବୁଲୁଥିଲେ । ଏବେ ସେଭଳି ପ୍ରହସନ କରୁଛନ୍ତି ।

ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦଳର ଷ୍ଟାଣ୍ଡ ଅନୁସାରେ ସମ୍ବିତ ଏପରି କରୁଛନ୍ତି । ଜଗନ୍ନାଥଙ୍କୁ ନେଇ ଆଦୌ ରାଜନୀତି କରିବା ଉଚିତ ନୁହେଁ । ଏହାକୁ କଂଗ୍ରେସ ନିନ୍ଦା କରିଛି ।

ତେବେ ନିୟମ ଭିତରେ କାର୍ଯ୍ୟ ଶେଷ କରିବାକୁ ଅନୁରୋଧ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଶ୍ରୀମନ୍ଦିର ଚାରିପାଖ ଭଙ୍ଗାରୁଜା ଅବସ୍ଥାରେ ପଡିଛି ଓ ନଳାପାଣି ଭାସୁଛି । ସମ୍ବିତ ପାତ୍ରଙ୍କ ସହ ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ପରେ ଆଇନଗତ ବ୍ୟବସ୍ଥା ଭିତରେ ଶୀଘ୍ର କାମ ଶେଷ କରିବାକୁ ସେ ମତ ଦେଇଛନ୍ତି ।