Odia News Portal

ଆଜିି ଚତୁର୍ଥ ଟି୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି୨୦ ଲଢେଇ ଏବେ କାରିବିୟାନରୁ ଆମେରିକାରେ ପହଞ୍ଚିଛି । ଆମେରିକାର ଫ୍ଲୋରିଡ଼ାରେ ଶନିବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ଟି୨୦ ଖେଳାଯିବ । ସିରିଜରେ ୨-୧ରେ ଅଗ୍ରଣୀ ରହିଥିବା ଭାରତ ଚତୁର୍ଥ ମ୍ୟାଚ୍ ସହ ଟ୍ରଫି କବଜା କରିବା ଲକ୍ଷ୍ୟରେ ରହିବ । ଚଳିତ ସିରିଜରେ କ୍ରମାଗତ ଫେଲ୍ ମାରିଥିବା ଶ୍ରେୟସ ଆୟରଙ୍କ ପାଇଁ ଅବଶିଷ୍ଟ ଦୁଇଟି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । ତାଙ୍କ ଉପରେ ଚାପ ରହିଥିବା ବେଳେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

ଚଳିତ ସିରିଜର ଶେଷ ଦୁଇଟି ମ୍ୟାଚ୍ ଆମେରିକାରେ ଖେଳାଯିବ । ଆମେରିକାରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ବେଶ୍ ଅଧିକ ହୋଇଥିବା ବେଳେ ଏହି ଦୁଇଟି ମ୍ୟାଚ୍ ସେମାନଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବ । ଭାରତୀୟ ପ୍ରଶଂସକଙ୍କ ସମ୍ମୁଖରେ ଟିମ୍ ଇଣ୍ଡିଆ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଚାହିଁବ । ତେବେ ଅବଶିଷ୍ଟ ଦୁଇଟି ଟି୨୦ରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ । ଅନେକ ସୁଯୋଗ ସତ୍ତ୍ୱେ ଆୟର ଆଶାନୁରୂପ ପ୍ରଦର୍ଶନ କରିପାରି ନାହାଁନ୍ତି । ଅନ୍ୟପକ୍ଷରେ ସୀମିତ ସୁଯୋଗ ସତ୍ତ୍ୱେ ଦୀପକ ହୁଡ଼ା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ଆୟର ଯଦି ପୁଣି ବିଫଳ ହୁଅନ୍ତି, ତେବେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ତାଙ୍କ ସ୍ଥାନ ହୁଡ଼ା ନେବା ନିଶ୍ଚିତ ।

ଏସିଆ କପ୍ ପାଇଁ କେଏଲ୍ ରାହୁଲ ଓ ବିରାଟ କୋହଲି ଫେରିବାକୁ ଥିବାବେଳେ ୨୭ ବର୍ଷୀୟ ଆୟରଙ୍କ ପାଇଁ ସମୟ ସରି ଆସୁଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚଳିତ ଟି୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ଆୟର ଯଥାକ୍ରମେ ୦,୧୦ (୧୧ ବଲ୍‌) ଓ ୨୪ (୨୭) ରନ୍ କରିଛନ୍ତି । ଦ୍ରୁତ ଓ ବାଉନ୍ସିଂ ବଲ୍ ଆଗରେ ସେ ଅସହଜ ଅନୁଭବ କରୁଥିବା ଲକ୍ଷ୍ୟ କରାଯାଇଛି ।

ସର୍ଟ ବଲ୍ ଖେଳିବାରେ ବିଫଳତା ଆୟରଙ୍କ ବଡ଼ ଦୁର୍ବଳତା ପାଲଟିଛି । ଏହାଛଡ଼ା ୫୦ ଓଭର ତୁଳନାରେ ଟି୨୦ ଫର୍ମାଟରେ ସେ କେଉଁ ଗିୟରରେ ଓ କିପରି ବେଗରେ ରନ୍ ସଂଗ୍ରହ କରିବେ ତାହା ନିର୍ଣ୍ଣକ କରିବାରେ ଅସମର୍ଥ ହୋଇଛନ୍ତି । ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାହୁଲ ଦ୍ରାବିଡ୍ ପ୍ରାୟ ସବୁ ଖେଳାଳିଙ୍କୁ ସମାନ ସୁଯୋଗ ଦେଇଛନ୍ତି । ତେବେ ଟି୨୦ କ୍ରିକେଟରେ ଆୟରଙ୍କ ଠାରୁ ଯେଉଁଭଳି ପ୍ରଦର୍ଶନ ଆଶା କରାଯାଉଛି, ତାହା ସେ କରିବାରେ ବିଫଳ ହୋଇଛନ୍ତି, ଯଦିଓ ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍ ୫୦ ଓଭର ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି । ଟି୨୦ କ୍ରିିକେଟରେ କ୍ରମାଗତ ବିଫଳତା ସତ୍ତ୍ୱେ ଦ୍ରାବିଡ୍ ତାଙ୍କୁ ଗତ ଅଢେଇ ମାସରେ ୯ଟି ମ୍ୟାଚରେ ସୁଯୋଗ ଦେଇଛନ୍ତି । କିନ୍ତୁ ସେ ଏହି ୯ଟି ମ୍ୟାଚରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚଳିତ ସିରିଜରେ ଯଦି ତାଙ୍କୁ ଅବଶିଷ୍ଟ ଦୁଇଟି ମ୍ୟାଚରେ ସୁଯୋଗ ମିଳେ, ତେବେ ଭଲ ପ୍ରଦର୍ଶନ କରିବା ଛଡ଼ା ତାଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ । କାରଣ ଏହା ପରେ ହେବାକୁ ଥିବା ଏସିଆ କପ୍ ପାଇଁ ଯେଉଁ ଦଳ ଚୟନ କରାଯିବ ସେହି ଦଳକୁ ଟି୨୦ ବିଶ୍ୱକପ ପାଇଁ ମଧ୍ୟ ବଜାୟ ରଖାଯିବା ନିଶ୍ଚିତ । ଏଭଳି ସ୍ଥଳେ ଆୟରଙ୍କ ଉପରେ ଚାପ ବଢିଛି ।

ତୃତୀୟ ଟି୨୦ରେ ପିଠି ଯନ୍ତ୍ରଣା ଯୋଗୁଁ ରିଟାୟର ହର୍ଟ ହୋଇଥିବା ଅଧିନାୟକ ରୋହିତ ଶର୍ମା ଶେଷ ଦୁଇଟି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ଜଣାପଡ଼ିଛି । ତୃତୀୟ ଟି୨୦ରେ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ପୁଣି ରୋହିତଙ୍କ ସହ ଇନିଂସ୍ ଓପନ୍ କରିବେ । ରିଷଭ ପନ୍ତ ଏଯାବତ ଛୋଟ ଇନିଂସ୍ ଖେଳିଥିଲେ ମଧ୍ୟ ଦାୟିତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଫ୍ଲୋରିଡ଼ାରେ ଭରପୂର ଦର୍ଶକଙ୍କ ଆଗରେ ଖେଳାଯିବାକୁ ଥିବା ଅବଶିଷ୍ଟ ଦୁଇଟି ମ୍ୟାଚରେ ସେ ଏକ ବଡ଼ ଇନିଂସ୍ ଖେଳିବାକୁ ଚାହିଁବେ ।