Odia News Portal

କଲର ନୁହେଁ କଣ୍ଟେଣ୍ଟ ଉପରେ ହେଉ ଚର୍ଚ୍ଚା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ | ନୂଆ କୃଷି ଆଇନ୍‌ ସମ୍ବନ୍ଧରେ କହିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କରୋନା କାଳରେ ୩ କୃଷି ଆଇନ୍‌ ଆସିଛି। କୃଷି କ୍ଷେତ୍ରରେ ସୁଧାର ପାଇଁ ନୂଆ ଆଇନ୍‌ର ଆବଶ୍ୟକତା ରହିଛି। ଦୀର୍ଘ ବର୍ଷ ହେଲା କୃଷକ ଏବଂ କୃଷି କ୍ଷେତ୍ର ଯେଉଁ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରୁଛି ତାର ସମାଧାନ କରିବାକୁ ନିରନ୍ତର ଚେଷ୍ଟା କରିବାକୁ ପଡ଼ିବ। ଏହାବ୍ୟତୀତ ମୋଦି ଆହୁରି ମଧ୍ୟ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ଦିଆଯାଇଛି । ଏହା ଆଧାର ଓ ଜନଧନ ପାଇଁ ସମ୍ଭବ ହୋଇଛି । ମନେ ରଖିବା ଦରକାର କେଉଁମାନେ ଆଧାରକୁ ରୋକିବା ଲାଗି ପ୍ରୟାସ କରି କୋର୍ଟ ଯାଇଥିଲେ । କଂଗ୍ରେସକୁ ସମାଲୋଚନା କରି କନଫ୍ୟୁଜ୍ ପାର୍ଟି ବୋଲି ମୋଦି କହିଛନ୍ତି । କଂଗ୍ରେସ ରାଜ୍ୟସଭାରେ ଗୋଟିଏ ମତ ରଖୁଥିବା ବେଳେ ଲୋକସଭାରେ ଆଉ ଗୋଟିଏ ମତ ରଖୁଛି ।

ପିଏମ ମୋଦୀ ଆହୁରି କହିଛନ୍ତି, ‘ମୁଁ ଦେଖୁଛି କଂଗ୍ରେସ ନେତା ଏହି ଆଇନ୍‌ର ରଙ୍ଗ ଉପରେ ବହୁତ ଚର୍ଚ୍ଚା କରୁଛନ୍ତି, ଭଲ ହୋଇଥାନ୍ତା ଯଦି କଣ୍ଟେଣ୍ଟ ଏବଂ ଇଣ୍ଟେଣ୍ଟ ଉପରେ ଚର୍ଚ୍ଚା କରିଥାନ୍ତେ। ଏହା ଦ୍ୱାରା ଦେଶର କୃଷକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚିପାରିଥାନ୍ତା। ଆଇନ୍‌ ଲାଗୁ ହେବା ପରେ କୌଣସ ମଣ୍ଡି ବନ୍ଦ ହୋଇନି କି ଏମଏସ୍‌ପି ବନ୍ଦ ହୋଇନି। ଆଇନ୍‌ ଆସିବା ପରେ ଏମଏସ୍‌ପି ଜରିଆରେ କ୍ରୟ ବି ବଢ଼ିଛି।’କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ ଜବାବ ଦେଇ ମୋଦି କହିଛନ୍ତି- ଭଗବାନଙ୍କ କୃପାରୁ କରୋନାରେ ଦୁନିଆ ଦୋହଲି ଯାଇଥିବା ବେଳେ ଭାରତ ବଞ୍ଚି ଯାଇଛି । କରୋନା କାଳରେ ନର୍ସ ଓ ଡକ୍ଟର ଭଗବାନ ସାଜିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଭଗବାନଙ୍କ ରୂପରେ ଆସିଥିଲେ ।

ଯଦି ଆଇନରେ କିଛି ତ୍ରୁଟି ରହିଛି ଏବଂ ଏହାଦ୍ୱାରା କୃଷକ କ୍ଷତିଗ୍ରସ୍ତ ହେବ ତ ଏଥିରେ ପରିବର୍ତ୍ତନ କରିବାରେ କିଛି ନାହିଁ । ଏହା ଦେଶବାସୀଙ୍କ ପାଇଁ । ଯଦି ଆବଶ୍ୟକତା ପଡ଼େ ଏଥିରେ ପରିବର୍ତ୍ତନ କରାଯିବ ।’ ବିରୋଧୀଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି, ‘ସଂସଦରେ ଇଏ ହୋ ହାଲ୍ଲା, ଇଏ ଚିତ୍କାର ସୁଚିନ୍ତିତ ରଣନୀତି। ମିଛ ଏବଂ ମିଥ୍ୟା ପ୍ରଚାର ଉପରୁ ପରଦା ଉଠିଯିବା ଭୟରେ ଏହି ରଣନୀତି ତିଆରି ହୋଇଛି। ତେଣୁ ହୋ ହାଲ୍ଲା କରିବାର ଖେଳ ଚାଲିଛି।’