Odia News Portal

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

ଭୁବନେଶ୍ୱର: ଓଡିଆ ସାହିତ୍ୟ ଜଗତର ଜଣେ ପ୍ରତିଭାଦିପ୍ତ କବି ଭାବେ ଜଣାଶୁଣା ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି ।ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପିରଜରଭେସନ ପ୍ରେପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ.ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା ଜାନୁଆରୀ -୨୦୨୧ରେ ମହୁରୀ ମହୋତ୍ସବ-୨୦୨୧ ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି ।
ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ପ୍ରତିଭାବାନ ସାହିତ୍ୟିକ ଓ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଡ. ପଣ୍ଡାଙ୍କୁ ଏହି ସମ୍ମାନ ନିମନ୍ତେ ମନୋନିତ କରାଯାଇଛି । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ୱର ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ ମହୁରି ସମ୍ମାନ ପ୍ରଦାନ କରାଯାଉଛି । ଜଗିସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ. ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି ।କବିତା ଗଳ୍ପ,ପ୍ରବନ୍ଧ,ଉପନ୍ୟାସ, ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତ୍ତିକ ଫିଚର ରଚନା କରନ୍ତି ।ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଡ.ପଣ୍ଡା ସାମ୍ବାଦିକତାକୁ ନିଜର ବୃତ୍ତିଭାବରେ ଗ୍ରହଣ କରିଛନ୍ତି ।ଏଯାବତ ତାଙ୍କର ୧୧ ଟି କବିତା ସଂକଳନ,୨ଟି ଗଳ୍ପ ସଂକଳନ,ଖଣ୍ଡିଏ ପ୍ରବନ୍ଧ ପୁସ୍ତକ,୨ଟି ଉପନ୍ୟାସ ପାଇସାରିଥିବା ବେଳେ ୨ଟି ଯନ୍ତ୍ରଶ ରହିଛି ।ଡ. ପଣ୍ଡାଙ୍କର ହିନ୍ଦିରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।
୨୦୨୧ରେ କେନ୍ଦ୍ର ସାହିତ୍ୟ ଏକାଡୋମୀ ଯୁବ ପୁରସ୍କାର ପାଇବା ସହିତ ଡ. ପଣ୍ଡା ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ୨୦୧୫ରେ ସେ ଅତିଥି ଲେଖକ ଭାବରେ ରଷ୍ଟ୍ରପତି ଭବନରେ ସତରଦିନ ଅବସ୍ଥାନ କରିଥିଲେ ।ଏଯାବତ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । କେବଳ ସାହିତ୍ୟ ରଚନା ନୁହେଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ପାଇଛନ୍ତି ।ଡ. ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା “ଅନ୍ୟା”ର ସଂପାଦକ ଅଟନ୍ତି ।ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ,ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରଚୀନ କେନ୍ଦ୍ରର ମୁଖ୍ୟ ଡ. ପଣ୍ଡା ଅନେକ ସୃଜନଶୀଳ କାର୍ଯ୍ୟ ହାତକୁ ନେଇଛନ୍ତି ।