ଆନ୍ଧ୍ର ପ୍ରଦେଶର ଜଣେ ୨୦ ବର୍ଷୀୟ ଯୁବତୀ ତାରକେଶ୍ୱରୀ ଘଟଣା କ୍ରମେ ଘରୁ ପଳାଇ ଆସି ବେଙ୍ଗାଲୁରୁ ସ୍ଥିତ ଏକ ହୋଟେଲରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା । କିନ୍ତୁ ତାର ପରିବାର ଲୋକେ ଖବର ପାଇ ତାକୁ ନେବା ପାଇଁ ଆସିଥିଲେ । ହେଲେ ଝିଅ ଯିବା ପାଇଁ ରାଜି ନହେବାରୁ ତା ପ୍ରତି ଘର ଲୋକେ ଜୋରଜବରଦସ୍ତ କରିଥିଲେ । ତେଣୁ ଯୁବତୀ ଜଣକ ପୋଲିସ ହେଲ୍ପଲାଇନର ସହାୟତା ନେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇ ଆସିଥିଲା । ସେଠାରେ ଯୁବତୀ ଓ ତାର ପରିବାର ଏବଂ ପୋଲିସ୍ ମଧ୍ୟରେ ଭୟଙ୍କ ଯୁକ୍ତିତର୍କ ଓ ବଚସା ହୋଇଥିଲା । ତେବେ ପୋଲିସ୍ ସେମାନଙ୍କୁ ବୁଝାଇ ସମାଧାନ କରିବା ବଦଳରେ ମାଡ଼ ଓ ଧକ୍କା ମାରିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଏଏସ୍ଆଇକୁ ନିଲମ୍ବିତ କରାଯାଇଛି ।
କଣ ଥିଲା ପ୍ରକୃତ କାହାଣୀ
ସୂଚନା ଅନୁସାରେ ମାତ୍ର ୧୧ ବର୍ଷ ବୟସରେ ତାରକେଶ୍ୱରୀକୁ ତାଙ୍କ ଘର ଲୋକେ ବାହା କରାଇ ଦେଇଥିଲେ । ତାଙ୍କ ମା ନିଜ ସାନ ଭାଇ ସାଥୀରେ ତାଙ୍କୁ ବାହା କରାଇ ଦେଇଥିଲେ । ତେବେ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ତାଙ୍କୁ ଭୀଷଣ ନିର୍ଯାତନା ଦେଉଥିଲେ । ତେଣୁ ସେ ବେଙ୍ଗାଲୁରୁରେ କାମ କରୁଥିବା ନିଜର କିଛି ବାନ୍ଧବୀଙ୍କ ସହ ଯୋଗାଯୋଗ କରି ଘରୁ ଲୁଚି ପଳାଇ ଆସିଥିଲେ । ଏଠାରେ ଏକ ହୋଟେଲରେ ରିସିପସନିଷ୍ଟ ଭାବେ କାମ କରୁଥିଲେ । ତାଙ୍କୁ ସେଠାରୁ ନେଇଯିବା ଲାଗି ତାଙ୍କ ମା ଓ ଶାଶୁ ଆସି ପହଞ୍ଚିବା ପରେ ତାରକେଶ୍ୱରୀ ପୋଲିସ୍ର ସହାୟତା ନେଇଥିଲେ । ପରେ ସେ କିଛି ସମୟ ପୋଲିସ୍ ଷ୍ଟେସନ୍ରେ ରହିବା ଲାଗି ମଧ୍ୟ ନିବେଦନ କରିଥିଲେ । ତାଙ୍କୁ ଏଥିପାଇଁ ଅନୁମତି ଦିଆଯାଇଥିଲା । ଏହି ସମୟରେ ତାଙ୍କ ମା ଓ ଶାଶୁ ପହଞ୍ଚି ଜୋର ଜବରଦସ୍ତ ତାଙ୍କୁ ନେବା ଲାଗି ଚେଷ୍ଟା କରିବା ସହ ମହିଳା ପୋଲିସ୍ ଉପରେ ଆକ୍ରମଣ କରିଥିଲେ । ଏହା ଦେଖି ଏଏସ୍ଆଇ ଏବଂ ଆଉ ଜଣେ ଅଧିକାରୀ ସେମାନଙ୍କୁ ଧକ୍କା ମାରି ମାରି ଥାନା ବାହାରକୁ ତଡ଼ି ଦେଇଥିଲେ ।
