ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଓ ଭ୍ରମାତ୍ମକ ପୋଷ୍ଟ କରିବା ଏବେ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଏହି ପୋଷ୍ଟକୁ ନେଇ ହିମାଚଳ ପ୍ରଦେଶ ପୁଲିସ କଙ୍ଗନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଶିମଲାର ବାଲୁଗଞ୍ଜ ଥାନାରେ ଏହି ମାମଲା ପଞ୍ଜୀକୃତ ହୋଇଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ, ଶିମଲାର ଅବସରପ୍ରାପ୍ତ କ୍ୟାପ୍ଟେନ୍ ଅତୁଲ ଶର୍ମା ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଗତ ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ବିବାଦୀୟ ପୋଷ୍ଟ ସେୟାର କରିଥିଲେ।ଏହି ପୋଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ସମ୍ବେଦନଶୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିସହ ସୋନିଆ ଗାନ୍ଧୀଙ୍କୁ ନେଇ ମଧ୍ୟ ଆପତ୍ତିଜନକ ଟିପ୍ପଣୀ କରାଯାଇଥିବା ଅଭିଯୋଗକାରୀ କହିଛନ୍ତି।
କେବଳ ସେତିକି ନୁହେଁ, ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀଙ୍କୁ ପରିବାରରୁ ଅଲଗା କରାଯାଇଥିବା ପ୍ରସଙ୍ଗ ମଧ୍ୟ ଏହି ପୋଷ୍ଟରେ ଉଲ୍ଲେଖ ଥିବା ଅଭିଯୋଗ ହୋଇଛି। ଏହି ପୋଷ୍ଟ ଗାନ୍ଧୀ ପରିବାରର ସମ୍ମାନକୁ କ୍ଷୁଣ୍ଣ କରିବା ସହ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିପାରେ ବୋଲି ଅଭିଯୋଗକାରୀ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବାବେଳେ ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ପୁଲିସର ତଦନ୍ତ ଜାରି ରହିଛି।
