Odia News Portal

ପୋଲିସ-ସିବିଆଇ ବିବାଦ : ରାତିସାରା ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋତକାତା: କୋଲକାତାରେ ହାଇଡ୍ରାମା। ରୋଜ୍ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍ ମାମଲା ନେଇ ସିବିଆଇ ଓ କୋଲକାତା ପୋଲିସ ମୁହାଁମୁହିଁ। କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଟିମ୍ ପଚରାଉଚରା କରିବାକୁ ଯିବାକୁ ନେଇ କୋଲକାତାରୁ ଆରମ୍ଭ କରି ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇର ୫ ଜଣ ଅଧିକାରୀଙ୍କୁ ଅଟକ ରଖିଥିଲା କୋଲକାତା ପୋଲିସ। ତେବେ ପରେ ପୋଲିସ ସେମାନଙ୍କୁ ଛାଡିଦେଇଛି । କୋଲକାତା ପୋଲିସ କମିଶନରଙ୍କ ଉପରେ ସିବିଆଇ ରେଡ୍ କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଖାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍  କରିଛନ୍ତି। ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଏବଂ ଦେଶର ସମ୍ବିଧାନ ତଥା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ମମତା ବାନାର୍ଜୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଇଶାରାରେ ସିବିଆଇ କାମ କରୁଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଗଣତନ୍ତ୍ର ବଞ୍ଚାଅ ନାରା ଦେଇ  ସତ୍ୟାଗ୍ରହରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। କେନ୍ଦ୍ରସରକାରଙ୍କ ବିରୋଧରେ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ମମତା। ସେପଟେ ରାଜ୍ୟରେ ବଦଳୁଥିବା ରାଜନୈତିକ ପାଣିପାଗ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ରାଜ୍ୟପାଳ। ଗତକାଲି ବିଳମ୍ବିତ ରାତିରେ ରାଜ୍ୟର ମୁଖ୍ୟ ପ୍ରଶାସକ ମଳୟ ଦେ ଓ ଡିଜିପି ବିରେନ୍ଦ୍ରଙ୍କୁ ସମନ ଜାରି କରିଛନ୍ତି। ପୂରା ଘଟଣାକ୍ରମ ଉପରେ ରିପୋର୍ଟ ଦେବାକୁ କହିଛନ୍ତି। ଏପେଟ କୋଲକାତାସ୍ଥିତ ସିବିଆଇ ଅଫିସ ବାହାରେ ସିଆରପିଏଫ ଯବାନଙ୍କ ମୁତୟନ କରାଯାଇଛି। ସିବିଆଇ ଅଧିକାରୀଙ୍କୁ ତଦନ୍ତ ପାଇଁ ଅନୁମତି ନଦେବା ଏବଂ ସେମାନଙ୍କୁ ଅଟକ ରଖିବା ପ୍ରତିବାଦରେ ସିବିଆଇ ଆଜି ସୁପ୍ରିମକୋର୍ଟ ଯିବ ବୋଲି କହିଛି। ଏପଟେ ଚିଟ ଫଣ୍ଡ ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ସିବିଆଇ କରୁଛି । ପଶ୍ଚିମବଙ୍ଗ ସରକାର ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବାରୁ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତ ଯାଇପାରେ ବୋଲି କୁହାଯାଉଛି।