Odia News Portal

ଆଜି ବିଧାନସଭାରେ ଆସିବ କାମଚଳା ବଜେଟ

ଭୁବନେଶ୍ୱର, ( ଚକ୍ରଧର ମାଝି )  : ବିଧାନସଭାରେ ଆସିବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌। ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ । ଆଗକୁ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ବଦଳରେ ୪ ମାସ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ ହେବ। ତେବେ ଏକ ପୂର୍ଣ୍ଣକାଳୀନ ବଜେଟ୍‌ର ପରିକଳ୍ପନା କରିଛନ୍ତି ସରକାର। ପ୍ରାୟ ୧ ଲକ୍ଷ ୩୨ ହଜାର କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇଛି। ଗତ ଆର୍ଥିକ ବର୍ଷରେ ଉପସ୍ଥାପିତ ବଜେଟ୍‌ ତୁଳନାରେ ଏହାର ଆକାର ୧୦ ପ୍ରତିଶତ ଅଧିକ ହେବ। ଏଥର ପ୍ରାୟ ୫୬ ହଜାର କୋଟି ଟଙ୍କାର କାମଚଳା ବଜେଟ୍‌ ବିଧାନସଭାର ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।

କୌଣସି ନୂଆ ଯୋଜନା ସରକାର ଘୋଷଣା କରି ନ ପାରନ୍ତି । କାଳିଆ ଯୋଜନା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ସମ୍ଭାବନା ରହିଛି। ତେବେ କୌଣସି ସ୍ପଷ୍ଟ ଆଭାସ ଦେଇନାହାନ୍ତି ଅର୍ଥମନ୍ତ୍ରୀ ଆଗକୁ ନିର୍ବାଚନ। ତେଣୁ କାମଚଳା ବଜେଟ୍‌ରେ ସବୁ ବର୍ଗଙ୍କୁ ଖୁସ୍‌ କଲାଭଳି ହେବ । ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ଅଧିକ ବ୍ୟୟବରାଦ ସମ୍ଭାବନା ରହିଛି। ନିକଟରେ କେନ୍ଦ୍ର ସରକାର ମଧ୍ୟବର୍ତ୍ତିକାଳୀନ ବଜେଟ୍‌ରେ ଚାଷୀଙ୍କ ପାଇଁ କୃଷକ ସମ୍ମାନ ନିଧି ଯୋଜନା ଓ ଅଣସଂଗଠିତ ଶ୍ରମିକଙ୍କ ପାଇଁ ପେନସନ୍‌ ବ୍ୟବସ୍ଥା ଘୋଷଣା କରିଥିଲେ। ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆୟକାରୀଙ୍କୁ ଟିକସ ଉପରେ ରିହାତି ଘୋଷଣା କରିଥିଲେ ମୋଦି ସରକାର। ମିଡିଲ କ୍ଲାସଙ୍କ ପାଇଁ ଗିଫ୍ଟ ପ୍ୟାକେଟ୍‌ ଖୋଲିଥିଲେ। ଏବେ ରାଜ୍ୟ ସରକାରଙ୍କ କୁହୁକ ପେଡ଼ି ଉପରେ ସମସ୍ତଙ୍କ ନଜର ରହିଛି।