Odia News Portal

କିନ୍ନର ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ନୂଆ ପ୍ରୟାସ, ଆରମ୍ଭ ହେଲା ଚପଲ ତିଆରି ତାଲିମ

ବ୍ରହ୍ମପୁର : କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ କରିବା ଲାଗି ଏବେ ଉଦ୍ୟମ ଆରମ୍ଭ କରିଛି ବ୍ରହ୍ମପୁର ମହାନଗର ନିଗମ । ନିଗମ ପକ୍ଷରୁ ପ୍ରଥମ ପର‌୍ୟ୍ୟାୟରେ କିନ୍ନର ମାନଙ୍କୁ ନେଇ ତିନୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସେମାନଙ୍କୁ ଚପଲ ତିଆରି କରିବାର ତାଲିମ ପ୍ରଦାନ କରିବା କାର‌୍ୟ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଆଉ ଏଭଳି କାର‌୍ୟ୍ୟକ୍ରମକୁ କରିବା ପାଇଁ ବିଏମସି ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ସହଯୋଗର ହାତ ବଢାଇଛି ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ଏନବିସିସି ।

ତେବେ କିନ୍ନର ମାନଙ୍କ ପାଇଁ ଓଡ଼ିଶାରେ ଏଭଳି ଏକ କାର‌୍ୟ୍ୟକ୍ରମ ପ୍ରଥମ ଥର ପାଇଁ ହେଉଥିବା ହେତୁ କିନ୍ନର ମାନେ ଏହାକୁ ନେଇ ବେଶ ଉତ୍ସାହିତ । ସମାଜରେ କିନ୍ନର ମାନଙ୍କୁ ସବୁବେଳେ ଅନ୍ୟ ଦୃଷ୍ଟିରେ ଦେଖିଥାନ୍ତି ଲୋକେ । କିନ୍ନରଟିଏ ବଞ୍ଚିବାକୁ ହେଲେ କରିବାକୁ ପଡିଥାଏ ଅନେକ ସଂଘର୍ଷ । ଏଭଳି ସ୍ଥିତିରେ ସେମାନେ ସମ୍ମାନର ସହ ବଞ୍ଚିବା ଲାଗି ହାତ ବଢାଇଛି ବ୍ରହ୍ମପୁର ମହାନଗର ନିଗମ । ସେମାନଙ୍କୁ ଆତ୍ମନିର୍ଭଳଶୀଳ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆରମ୍ଭ କରିଛି ଅନେକ ଯୋଜନା । ଏହି କ୍ରମରେ ଆଜି ଜାତୀୟ ସହରାଞ୍ଚଳ ନିର୍ବାହ ମିଶନ ତରଫରୁ କିନ୍ନର ମାନଙ୍କୁ ଦୁଇ ମାସ ବ୍ୟାପି ଚପଲ ତିଆରି ତାଲିମ ଶିବିରର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ତାଲିମ ଶିବିରକୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି କାର‌୍ୟ୍ୟକ୍ରମକୁ ବିଏମସିର ତତ୍ୱାବଧାନରେ ହେଉଥିବା ବେଳେ ପ୍ରଥମ ପର‌୍ୟ୍ୟାୟରେ ସହରର କିନ୍ନର ମାନଙ୍କୁ ଚିହ୍ନଟ କରି ତିନୋଟି ସ୍ୱୟଂ ସହାୟିକ ଗୋଷ୍ଠୀ କରାଯାଇଥିଲା ।

ପ୍ରତ୍ୟେକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ଯୋଗାଇ ଦିଆଯାଇଥିବା ବେଳେ ଚପଲ ତିଆରି ପାଇଁ ସସମ୍ତ ତାଲିମ ଖର୍ଚ୍ଚ ବିଏସି ବହନ କରିଛି । ଏହା ସହ ଏନବିସିସି ( ନ୍ୟାସନାଲ ବିଲଡିଂ କଣ୍ଚ୍ରାକ୍ଟର କମ୍ପାନୀ)ର ସିଏସଆର ଫଣ୍ଡରୁ ଚପଲ ତିଆରି ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଜିନିଷ ଯୋଗାଇ ଦିଆଯାଇଛି । ଏହି କ୍ରମରେ ପ୍ରଥମ ପର‌୍ୟ୍ୟାୟରେ ୨୭ ଜଣ କିନ୍ନରଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହା ଦ୍ୱାରା ସେମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ବିଏସି କମିଶନର ମତ ଦେଇଛନ୍ତି । କେବଳ ଏହା ନୁହେଁ ବରଂ କିନ୍ନର ମାନଙ୍କ ପାଇଁ ଅନେକ ଯୋଜନା ବିଏମସି ହାତକୁ ନେଇଥିବା ସେ କହିଛନ୍ତି । ଆଗାମୀ ଦିନର କିନ୍ନର ମାନଙ୍କ ପାଇଁ ଏକ ହଷ୍ଟେଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଚାର ତିଆରି କରିବା ପ୍ରଣାଳୀ ତାଲିମ ଦିଆଯିବ ବୋଲି ଏହି ଅବସରରେ ସେ ସୂଚନା ଦେଇଛନ୍ତି । ସେପଟେ ଏହି କାର‌୍ୟ୍ୟକ୍ରମରେ ନିୟୋଜିତ ଥିବା ନିଗମର କର୍ମଚାରୀ ମାନେ ମଧ୍ୟ କିନ୍ନର ମାନଙ୍କ ଆଗ୍ରହକୁ ଦେଖି ବେଶ୍ ଉତ୍ସାହିତ । ଏହା ସହ ଏହି ତାଲିମ ପାଇବା ପରେ ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ବୋଲି ମତ ଦେଇଛନ୍ତି ବିଏମସିର କର୍ମଚାରୀ ସ୍ମିତା ଦାଶ । କୋଲକାତାର ପ୍ରେମ ଫୁଟ୍ ୱେର ନାମକ ଏକ କମ୍ପାନୀର ତିନିଜଣ ସଦସ୍ୟ ଚପଲ ତିଆରି କରିବା ତାଲିମ ପ୍ରଦାନ କରୁଛନ୍ତି । କିଭଳି ଚପଲ ତିଆରି କରିହେବ ଏହା ସହ ଏହାକୁ କିଭଳି ବିକ୍ରୀ କରିହେବ ସେନେଇ ପୁଙ୍ଖାନୁପୁଙ୍ଖଭାବେ ତାଲିମ ପ୍ରଦାନ କରୁଛନ୍ତି କିନ୍ନର ମାନଙ୍କୁ । ଆଉ ଆଶା ରଖିଛନ୍ତି ଏହି ତାଲିମ ତାଙ୍କୁ ବେଶ ସହାୟକ ହେବ ।