Odia News Portal

ପରିବାର ଭିତରେ କିଭଳି ରଖିବେ ଭଲ ସମ୍ପର୍କ, ଆସନ୍ତୁ ଜାଣିବା

ସମାଜରେ ରହିବାକୁ ହେଲେ ପରିବାରଟିଏ ଜରୁରୀ । ପରିବାରକୁ ବାନ୍ଧି ରଖିବା ପାଇଁ କିଛି କଥା ମାନିବା ମଧ୍ୟ ଜରୁରୀ । ବର୍ତ୍ତମାନ ସମୟରେ ସ୍ୱାର୍ଥପର ହୋଇ ମଣିଷ ଆଉ ଯୌଥ ପରିବାରକୁ ଗ୍ରହଣ କରିବା ଲାଗି ରାଜି ନୁହେଁ । କାରଣ ଯୌଥ ପରିବାରରେ ଖୁସି ଯେତିକି ସେହି ପରିମାଣରେ କିଛି ତ୍ୟାଗ ବି କରିବାକୁ ହେବ ।
୧-ପରିବାରର ସମସ୍ତ ସଦସ୍ୟ ଯେଭଳି ପରସ୍ପରକୁ ବୁଝି ପାରିବେ ସେଭଳି ବାତାବରଣ ସୃଷ୍ଟି କରନ୍ତୁ ।
୨-ପ୍ରତ୍ୟେକ ସଦସ୍ୟଙ୍କ ବିଚାରକୁ ସମ୍ମାନ ଦିଅନ୍ତୁ ।
୩-କୌଣସି ସମସ୍ୟା ଉପୁଜିଲେ ମିଳମିଶି ତାକୁ ସମାଧାନ କରିବା ଲାଗି ଚେଷ୍ଟା କରନ୍ତୁ । ଯଦି ଜଣେ ସମାଧାନ କରି ପାରୁଛି ତେବେ ତାକୁ ସମସ୍ତେ ବିଶି ଧନ୍ୟବାଦ ଦେବା ସହ ଉତ୍ସାହିତ କରନ୍ତୁ ।
୪-ବଡ଼ମାନଙ୍କ ଭଳି ପିଲାମାନଙ୍କ ମତାମତ ଓ ଇଚ୍ଛାକୁ ମଧ୍ୟ ସମାନ ଭାବେ ସମ୍ମାନ ଦିଅନ୍ତୁ ।
୫-ପିଲାମାନଙ୍କ ଉପରେ ହୁକୁମ ଜାରି ନକରି ସେମାନଙ୍କୁ ସହଜ ହେବାର ସୁଯୋଗ ଦିଅନ୍ତୁ । କାରଣ ଯୁଗର ପରିବର୍ତ୍ତନ ସହ ସେମାନଙ୍କ ମାନସିକତା ଓ ବୁଦ୍ଧିରେ ବ୍ୟାପକ ପରିବର୍ତ୍ତନ ଘଟିଛି ।
୬-ଘରେ ରହୁଥିବା ବୟସ୍କମାନଙ୍କ ପ୍ରତି ଯତ୍ନଶୀଳ ରହିବା ସହ ସେମାନଙ୍କ ପାଇଁ କିଛି ସମୟ ଦିଅନ୍ତୁ । ଯେଭଳି ସେମାନେ ଏକାକୀ ଅନୁଭବ ନକରନ୍ତି । ସେହିପରି କୌଣସି କ୍ଷେତ୍ରରେ ଦୁର୍ବଳ ଥିବା ପିଲା ଓ ବ୍ୟକ୍ତିଙ୍କୁ ସେମାନେ ଦୁର୍ବଳ ବୋଲି ଭାବିବାକୁ ଦିହନ୍ତୁ ନାହିଁ ।
୭-ଚାକିରି କରୁଥିବା ପୁରୁଷମାନେ ଯେଭଳି ନିଜ ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କ ଠାରୁ କିଛି ଅଧିକ ସହାୟତା ଚାହାନ୍ତି ଠିକ୍‌ ସେହିଭଳି ଗୃହିଣୀମାନେ ମଧ୍ୟ ଘରର ପୁରୁଷମାନଙ୍କ ସହଯୋଗ ଲୋଡ଼ିଥାନ୍ତି । ପୁରୁଷମାନେ ମୁହଁରେ କହି ଦେଉଥିବା ବେଳେ ମହିଳାମାନେ ନିରବରେ ରହିଯାନ୍ତି । ତେଣୁ ଘରର ପୁରୁଷ ଏବଂ ବରିଷ୍ଠ ସଦସ୍ୟମାନେ ଗୃହିଣୀମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ ।
୮-ଘରେ ଉତ୍ସବ ଆଦି ହେଉ କିମ୍ବା ଅନ୍ୟ ଖାଲି ସମୟ ହେଉ ସମସ୍ତଙ୍କୁ ଏକାଠି କରି କିଛି ମଜା ମସ୍ତି କରନ୍ତୁ । କୌଣସି ଭୁଲ କଲେ ସମସ୍ତଙ୍କ ଆଗରେ ମାନି ନିଅନ୍ତୁ । ଦେଖିବେ ସମ୍ପର୍କ ଅଧିକ ଗାଢ଼ ହେବ ଏବଂ ପିଲାମାନେ ମଧ୍ୟ ଆପଣଙ୍କ ଠାରୁ ଶିକ୍ଷା କରିବେ ।
୯-ସେହିଭଳି ସମୟ କାଢ଼ି ଦିନକୁ ଅନ୍ତତଃ ଥରେ ସମସ୍ତେ ଏକାଠି ବସି ଖାଇବା ଲାଗି ଉଦ୍ୟମ କରନ୍ତୁ । ଦେଖିବେ ଅନେକ ଫରକ ଆସିବ ସମ୍ପର୍କରେ ।
୧୦-ବଡ଼ ପରିବାରରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଥାବାର୍ତ୍ତା ହେବାକୁ ବି ବେଳ ମିଳେ ନାହିଁ । ଏ କ୍ଷେତ୍ରରେ ଘରର ମୁରବୀମାନେ ସେମାନଙ୍କ ପାଇଁ କିଛି ଅନ୍ୟ ବାଟ ବାହାର କରିବା ଦରକାର । ଯେଉଁଥିରେ ଏଭଳି ପତି ପତ୍ନୀ ପରସ୍ପର ପାଇଁ ସମୟ ଦେଇ ପାରିବେ ।

ତେବେ ସବୁଠାରୁ ବଡ଼ କଥା ହେଉଛି ତ୍ୟାଗ ନକଲେ ଭୋଗ ହେବ ନାହିଁ । ଜଣେ ଯଦି ଅନ୍ୟର କଥାକୁ ହୃଦୟଙ୍ଗମ କରିବ ତାହା ହେଲେ ଅନ୍ୟ ବ୍ୟକ୍ତିଟି ମଧ୍ୟ ତା ପ୍ରତି ସହାନୁଭୂତିଶୀଳ ହେବ । ଅବଶ୍ୟ ସବୁଠାରୁ ଅଧିକ ଆବଶ୍ୟକତା ରହିଛି ଧୈର୍ଯ୍ୟର । ଏଇ ନ୍ୟାୟରେ ନିଜକୁ ଚଳାଇଲେ ପରିବାର ଏକ ମାଳା ଭଳି ଗୁନ୍ଥି ହୋଇ ରହିବ ।