ୱେଲିଂଟନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲା। ନିର୍ଦ୍ଧାରିତ ୪୧ ଓଭରରେ ଦଳ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୪ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତ ସାମ୍ନାରେ ରହିଥିଲା ୧୩୫ ରନ୍ର ଛୋଟ ଲକ୍ଷ୍ୟ। ନ୍ୟୁଜିଲାଣ୍ଡ ପକ୍ଷରୁ ଡେରିଲ୍ ମିଚେଲ ସର୍ବାଧିକ ୫୫ ରନ୍ କରିଥିବା ବେଳେ ମିଚେଲ ସାଣ୍ଟନର ୩୧ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ରେ ୫୯ ରନ୍ର ଭାଗୀଦାରି ହୋଇଥିଲା। ହେଲେ ଏହି ଯୋଡ଼ି ଭାଙ୍ଗିବା ପରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍ଅପ୍ ତାସ୍ ଘର ପରି ଭୁଶୁଡ଼ି ପଡ଼ିଥିଲା।
ଭାରତ ପକ୍ଷରୁ ଗୁରନୁର ବ୍ରାର ସର୍ବାଧିକ ୪ଟି ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା ଦେଇଥିଲେ। ସେହିପରି ଆକିବ ନବି, ଅଂଶୁଲ କମ୍ବୋଜ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଜବାବରେ ୧୩୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଦଳ ପକ୍ଷରୁ ରୋହିତ ଶର୍ମା ୨୩, ଶ୍ରେୟସ ଆୟର ୩୦, କେଏଲ୍ ରାହୁଲ ୨୬ ଏବଂ ନମନ ଧୀର ୧୨ ରନ୍ କରିଥିଲେ।
ତେବେ ମ୍ୟାଚ୍ରେ ବର୍ଷା ବାରମ୍ବାର ବାଧା ସୃଷ୍ଟି କରିଥିଲା। ଭାରତ ୨୬ ଓଭରରେ ୭ଟି ୱିକେଟ୍ ହରାଇ ୧୧୩ ରନ୍ କରିଥିବା ସମୟରେ ପୁଣି ବର୍ଷା ଆରମ୍ଭ ହୋଇଥିଲା। ଫଳରେ ଖେଳ ବନ୍ଦ ରଖିବାକୁ ପଡ଼ିଥିଲା।ଏହି ସମୟରେ ଡିଏଲ୍ଏସ୍ ନିୟମ ଅନୁଯାୟୀ ଭାରତ ବିଜୟ ଲକ୍ଷ୍ୟଠାରୁ ୪ ରନ୍ ଆଗରେ ରହିଥିଲା। ତେଣୁ ଭାରତକୁ ୪ ରନ୍ରେ ବିଜୟୀ ଘୋଷଣା କରାଯାଇଥିଲା। ଏହି ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ସହ ବ୍ୟାଟରଙ୍କ ଉପଯୋଗୀ ଯୋଗଦାନ ଦଳକୁ ବିଜୟ ଦେଇଛି। ଆଉ ଏହି ବିଜୟ ସହ ଦୀପାବଳିର ଖୁସିକୁ ଦ୍ୱିଗୁଣିତ କରିଛି ଟିମ୍ ଇଣ୍ଡିଆ।
