ଭୁବନେଶ୍ୱର : ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଗତଥର ପରି ଏଥର ଯେମିତି ପ୍ରଶ୍ନପତ୍ର ଯେମିତି ଭାଇରାଲ ନ ହୁଏ, ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବ୍ୟକ୍ତିବିଶେଷ ମୋବାଇଲ୍ ଧରି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଜାରି କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ସମସ୍ତ ଡିଇଓଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏଥିସହ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ଯ୍ୟାଳୟ, ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଓ ଏହା ଅଧୀନରେ ଥିବା ବିଭିନ୍ନ ଜୋନାଲ୍ କାର୍ଯ୍ୟାଳୟରେ ବି କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି। ଡିଇଓମାନେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରି ପରୀକ୍ଷା ସୁପରିଚାଳନାର ତଦାରଖ କରିବେ। ଗସ୍ତ ସମୟରେ ଯଦି କୌଣସି ଅନିୟମିତତା ଦୃଷ୍ଟିକୁ ଆସେ, ତେବେ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏନେଇ ପରିଷଦର ସଭାପତି ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଇତିମଧ୍ୟରେ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପରିଷଦ କାର୍ଯ୍ୟାଳୟଠାରୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବା ପର୍ଯ୍ୟନ୍ତ ଜିଲ୍ଲା ଓ ପୁଲିସ ପ୍ରଶାସନ ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବାକୁ ଗଣଶିକ୍ଷା ବିଭାଗ ନିର୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
କପି ରୋକିବା ପାଇଁ ବିଭିନ୍ନସ୍ତରରେ ସ୍କ୍ବାଡ୍ ଗଠନ କରିବାକୁ କୁହାଯାଇଛି। ପରିଷଦ ପକ୍ଷରୁ ସ୍କ୍ବାଡ୍ ଗଠନ ହୋଇଛି। ବିଭାଗୀୟ ମନ୍ତ୍ରୀ, ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଅଧିକାରୀମାନେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଅଚାନକ ଗସ୍ତ କରିବେ। ମାର୍ଚ୍ଚ ୮ରେ ପରୀକ୍ଷା ସରିବା ପରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୫ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ ଶେଷ ହେବ। ତେଣୁ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଆବଶ୍ୟକୀୟ ଡାଟା ଏଣ୍ଟ୍ରି ଅପରେଟର୍ ଓ ମୂଲ୍ୟାୟନକାରୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି।
ଅନ୍ୟ ପକ୍ଷରେ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ କହିଛନ୍ତି ଯେ ପରୀକ୍ଷାର ସୁପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି।
