ଭୁବନେଶ୍ୱର (): ପୂର୍ବତନ ବିଧାୟିକା ଓ ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟା ସିପ୍ରା ମଲ୍ଲିକ ଏବେ କେନ୍ଦ୍ରାପଡା ମୁହାଁ । ବିଧାୟକ କିଶୋରଙ୍କୁ ହଟାଇବାପାଇଁ ଲାଗି ପଡିଥିବା ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ପୁଣିଥରେ ସିପ୍ରାଙ୍କୁ କେନ୍ଦ୍ରାପଡା ନେଉଥିବା ଚର୍ଚ୍ଚା ହେଉଛି ।
କେନ୍ଦ୍ରାପଡା ସଂରକ୍ଷିତ ଆସନରୁ ଏବେ ବିଧାୟକ ଅଛନ୍ତି କିଶୋର ତରାଇ । ଜିଲ୍ଲାରୁ ସେ ଦ୍ୱିତୀୟଥର ପାଇଁ ବିଧାୟକ ହୋଇଥିବାବେଳେ ତୃତୀୟଥର ପାଇଁ ସେ ଯେଭଳି ବିଧାୟକ ଟିକଟ ନପାଇବେ ସେଥିପାଇଁ ଜୋରଦାର ଉଦ୍ୟମ ହେଉଛି । ଏହାର କାରଣ ହେଉଛି ସଂରକ୍ଷିତ ପ୍ରାର୍ଥୀଭାବେ କେନ୍ଦ୍ରାପଡା ଜିଲ୍ଲାରୁ ତୃତୀୟଥର ପାଇଁ କିଶୋର ନିର୍ବାଚନ ଜିଣିଲେ ତାଙ୍କପାଇଁ ବିଜେଡି ସରକାରରେ ମନ୍ତ୍ରୀପଦ ପାଇବା ପକ୍କା ହୋଇଯିବ । ତେଣୁ କିଶୋରଙ୍କ ଆଡୁ ନିଜକୁ ବିପଦ ମଣୁଥିବା ନେତା ଏବେ କିଶୋର ହଟାଅ ଅଭିଯାନରେ ଲାଗି ପଡିଛନ୍ତି ।
କିଶୋରଙ୍କୁ ହଟାଇବାପାଇଁ ଏହି ଗୋଷ୍ଠି ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ବିଜେଡିକୁ ଆଣି କେନ୍ଦ୍ରାପଡାରୁ ପ୍ରାର୍ଥୀ କରିବେ ବୋଲି ଏକ ପ୍ରକାର ଚୂଡାନ୍ତ କରିଥିଲେ । ଗଣେଶ୍ୱର ବି ବିଜେଡିକୁ ଯାଉଥିବା ନେଇ ସଙ୍କେତ ଦେଇଥିଲେ । ହେଲେ ଶେଷ ମୂହୂର୍ତ୍ତରେ ସବୁକିଛି ଗୋଳମାଳିଆ ହୋଇଗଲା । କଂଗ୍ରେସର ବଢୁଥିବା ଲୋକପ୍ରିୟକତାକୁ ଦେଖି ଗଣେଶ୍ୱର ଶଙ୍ଖ ଧରିବାକୁ ରାଜି ହେଲେନାହିଁ । କଂଗ୍ରେସ ବି ତାଙ୍କୁ ଦଳରେ ରଖିବାପାଇଁ ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ କରିଦେଲା । ଗଣେଶ୍ୱର ଫର୍ମୁଲାରେ ଫେଲ୍ ହେବାପରେ ଏବେ ଏହି ନେତାମାନେ ସିପ୍ରାଙ୍କୁ ପୁଣିଥରେ କେନ୍ଦ୍ରାପଡାରୁ ବିଧାୟକ ଭାବେ ପ୍ରାର୍ଥୀ ହେବାକୁ ଫୁସୁଲାଉଛନ୍ତି ।
ଗତକାଲି କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ରାଲିରେ କିଶୋରଙ୍କ ଦମ୍ଦାର ପ୍ରଦର୍ଶନ କିନ୍ତୁ ତାଙ୍କ ବିରୋଧି ଗୋଷ୍ଠିଙ୍କୁ ଅଡୁଆରେ ପକାଇ ଦେଇଛି । ଜିଲ୍ଲାର ସମସ୍ତ ବିଧାୟକଙ୍କ ତୁଳନାରେ କିଶୋର ସର୍ବାଧିକ ଲୋକ ଆଣିଥିଲେ ସମାବେଶକୁ । ତାଙ୍କର ପ୍ରଦର୍ଶନ ଦେଖିବାପରେ କିଶୋରଙ୍କୁ କିଭଳି ହଟାଇବେ ତାହା ଏବେ ବିରୋଧି ଗୋଷ୍ଠି ଜାଣିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ ସାଂସଦ ପ୍ରାର୍ଥୀଭାବେ ବିଜେଡି ସିପ୍ରାଙ୍କୁ ଲଢାଇବାପାଇଁ ଆଗ୍ରହୀ । କାରଣ ମହିଳା କୋଟା ସହିତ ସିପ୍ରାଙ୍କର ପୂର୍ବତନ ବିଧାୟିକା ହିସାବରେ କିଛିଟା ଲୋକସମ୍ପର୍କ ରହିଛି । ସିପ୍ରାଙ୍କୁ ସାଂସଦ ଟିକଟ ଦେଲେ ସବୁଠାରୁ ବଡ ଫାଇଦା ହେଉଛି ତାଙ୍କ ପିତା ପ୍ରହଲାଦ ମଲ୍ଲିକଙ୍କର ସମଗ୍ର କେନ୍ଦ୍ରାପଡାରେ ଥିବା ଲୋକପ୍ରିୟତା ।
ପ୍ରହଲାଦ ବାବୁଙ୍କର ମାର୍ଶାଘାଇ ଇଲାକା ଯାହାକି ବର୍ତ୍ତମାନର ମହାକାଳପଡା ର୍ନିବାଚନ ମଣ୍ଡଳୀରେ ରହିଛି ସେଠାରେ ଏବେ ବି ଲୋକପ୍ରିୟତା ଥିବାରୁ ତାଙ୍କ ଝିଅ ସିପ୍ରାଙ୍କୁ ମହାକାଳପଡା ବିଧାନସଭା ଆସନ ଦେଇ ସେଠାରେ ବିଧାୟକ ଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ଲୋକସଭା ଲଢାଇବାପାଇଁ ବିଜେଡିର ଗୋଟିଏ ଗୋଷ୍ଠି ବିଚାରୁଥିବା ସୂଚନା ମିଳୁଛି । ତେବେ କିଶୋର ହଟାଓ ଅଭିଯାନରେ ସିପ୍ରାଙ୍କୁ କେନ୍ଦ୍ରାପଡାକୁ ନେବାପାଇଁ ଯେଉଁ ଭିତିରି ଖେଳ ଚାଲିଛି ତାହା କେତେଦୂର ସଫଳ ହେଉଛି ତାହା ଉପରେ ଏବେ ଜିଲ୍ଲାବାସୀଙ୍କ ନଜର ।
