Odia News Portal

ବିଜେଡିରେ ଥାଇ ବିଜେପି ପ୍ରୀତି, ଦଳ ବୋଲ ମାନୁ ନାହାନ୍ତି ବିଜେଡି କର୍ପୋରେଟର

ବିଜେଡି ଦଳ ଦେଲା ପଦବୀ, ହେଲେ ଯୁବ ନେତାଙ୍କର ବିଜେପି ପ୍ରତି ଉଛୁଳୁଛି ପ୍ରେମ! ବିଜେଡିରେ ଅମାନିଆ ଯୁବ ନେତା ଏବେ ବିଜେପି ପାଇଁ କରୁଛନ୍ତି ଚମଚାଗିରି। ଉପରେ ପାଣି ଦେଇ ଭିତରେ ଚାଲିଛି ଚେର କଟା । ଆମେ କହୁଛୁ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓରଫ ଲିଟୁଙ୍କ କଥା। ଶାସକ ଦଳର ଟିକେଟରେ ଜିତି ଏବେ ବିଜେପି ନେତାଙ୍କ ଫଟୋକୁ ପୋଷ୍ଟରରେ ମାରୁଛନ୍ତି ଏହି କର୍ପୋରେଟର। ଦଳୀୟ ବିଶୃଙ୍ଖଳା ପାଇଁ ପୂର୍ବରୁ ମଧ୍ୟ କାରଣ ଦର୍ଶାଅ ନୋଟିସ ପାଇଥିବା ଏହି ନେତାଙ୍କର ଏହି ନୂଆ କାର୍ଯ୍ୟକଳାପ ଏବେ ଦଳ ପ୍ରତି ଏକ ଖୋଲା ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି। ରାଜନୀତିରେ ନିଷ୍ଠା ଓ ଶୃଙ୍ଖଳାକୁ ନେଇ ସବୁବେଳେ ପ୍ରଶ୍ନ ଉଠେ। ହେଲେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାରଙ୍କ କ୍ଷେତ୍ରରେ ଏହା ଯେମିତି ସବୁ ସୀମା ପାର କରିଯାଇଛି। ନିଜକୁ ବିଜେଡିର ନେତା ବୋଲାଉଥିବା ଲିଟୁ ଏକାମ୍ର ଆର୍ମିର ରଜ ମହୋତ୍ସବ ପୋଷ୍ଟରରେ ଏବେ ରାସ୍ତା ଘାଟରେ ଖୋଲାଖୋଲି ଭାବେ ବିଜେପି ନେତାଙ୍କ ଫଟୋ ଦେଖିବାକୁ ମିଳୁଛି। ଗୋଟିଏ ପଟେ ସେ ବିଜେଡି ସଂଗଠନରେ ଅଛନ୍ତି ଏବଂ ସଂଗଠନ କୁ ମଜବୁତ କରଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ହେଲେ ଅନ୍ୟପଟେ ନିଜର ବ୍ୟାନର ଓ ପୋଷ୍ଟରରେ ବିରୋଧୀ ଦଳର ନେତାମାନଙ୍କୁ ସ୍ଥାନ ଦେଇ ସେମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରି ବିଜେଡି ହାଇକମାଣ୍ଡଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

ତେବେ ଲିଟୁଙ୍କ ପାଇଁ ଏହା କିଛି ପ୍ରଥମ ଘଟଣା ନୁହେଁ। ଲିଟୁଙ୍କ ନାଁରେ ବିଶୃଙ୍ଖଳାର ଏକ ଲମ୍ବା ତାଲିକା ରହିଛି। ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଏବଂ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିବା ଅଭିଯୋଗରେ ବିଜେଡି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ତେବେ ବାରମ୍ବାର ସତର୍କ କରାଯିବା ପରେ ବି ତାଙ୍କ କାର୍ଯ୍ୟକଳାପରେ କୌଣସି ସୁଧାର ଆସିନାହିଁ। ଯଦି ବିଜେପି ଏବଂ ବିଜେପିର ନେତୃତ୍ୱ ପ୍ରତି ତାଙ୍କର ଏତେ ଦୁର୍ବଳତା ରହିଛି, ତେବେ ସେ ବିଜେଡିରେ କାହିଁକି ରହିଛନ୍ତି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି। କର୍ମୀଙ୍କ କହିବା କଥା, ଏହା କେବଳ ଶୃଙ୍ଖଳାହୀନତା ନୁହେଁ, ବରଂ ଦଳ ଏବଂ ଦଳର ସୁପ୍ରିମୋଙ୍କ ଆଖିମିଟିକା ମାରି ବିଜେପି ରେ ସାମିଲ ହେବା ପାଇଁ ଲିଟୁ କୁଆଡେ ଭିତିରିଆ ସାଲିସ କରୁଥିବା ଚର୍ଚ୍ଚା ହେଲାଣି

ଗୋଟିଏ ଡଙ୍ଗାରେ ବସି ଅନ୍ୟ ଡଙ୍ଗାରେ ଆହୁଲା ମାରି ନିଜ ସ୍ୱାର୍ଥ ହାସଲ କରିବା ରାଜନୀତିରେ ନୂଆ କଥା ନୁହେଁ। କିନ୍ତୁ କର୍ପୋରେଟର ଲିଟୁ ମହାସୁପକାର ଯେଉଁଭଳି ଭାବେ ବିଜେଡିରେ ରହି ବିଜେପି ନେତାଙ୍କ ପ୍ରଚାର କରୁଛନ୍ତି, ତାହା ବିଜେଡିର ସାଂଗଠନିକ ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ନୋଟିସ ପାଇଥିବା ଏହି ନେତାଙ୍କର ଏଭଳି ଦୋମୁହାଁ ନୀତିକୁ ନେଇ ଏବେ ଦଳୀୟ ହାଇକମାଣ୍ଡ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।