Odia News Portal

ଜଙ୍ଗଲ ଛାଡି ରାଜଧାନୀରେ ପଶିଲା ବାଘ

ରାଜଧାନୀରେ ବାଘ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବା ସୂଚନା ମିଳିଛି । ପଳାସପଲ୍ଲୀ ଠାରେ ଏକ କଲରାପତରିଆ ବାଘର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ଆସୁଥିବାର ସିସିଟିଭି ଦୃଶ୍ୟରୁ ଜଣାପଡୁଛି ।
ଏହି ଘଟଣା କାଲି ରାତିର ଅଟେ । ରାତି ପାଖାପାଖି ୧୧ଟା ବେଳେ ବାଘ ପାଚେରୀ ଡେଇଁଥିବା ସୂଚନା ମିଳିଛି । ତେବେ ବାଘକୁ ଦେଖିଥିବା ନେଇ ମଧ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବାଙ୍ଗନିଧି ସେନାପତି କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାଘ କେଉଁଠୁ ଆସିଲା, କେମିତି ସହର ମଧ୍ୟକୁ ପ୍ରବେଶ କଲା ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏପଟେ ସ୍ଥାନୀୟ ଲୋକମାନେ ଭୟରେ ରହିଛନ୍ତି ।
ବାଘର ଗତିବିଧି ଖବର ଜାଣିବା ପରେ ଆରମ୍ଭ ହୋଇଛି ବାଘ ଅପରେସନ୍ । ବନବିଭାଗର ଏକ ୧୦ଜଣିଆ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁସନ୍ଧାନ କରୁଛନ୍ତି । ବାଘ ଆତଙ୍କରେ ଆତଙ୍କିତ ନହେବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଅନୁରୋଧ କରାଯାଇଛି ।