Odia News Portal

‘ଦ କପିଲ ଶର୍ମା ଶୋ’ କୁ ଫେରିଲେ ସୁନୀଲ୍ ଗ୍ରୋଭର

ମୁମ୍ବାଇ : ଲୋକପ୍ରିୟ କମେଡ଼ିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ଥିଲା। ଏହି ବିବାଦକୁ ନେଇ ସୋଶାଲ୍‌ ମିଡିଆ ଓ ଅନେକ ସାକ୍ଷାତକାରରେ ଦୁହିଁଙ୍କ ଖରାପ୍‌ ସମ୍ପର୍କର ଝଲକ୍‌ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ପୁଣିଥରେ କପିଲ-ସୁନୀଲ ଯୋଡି ଏକାଠି ନଜର ଆସିବାକୁ ଯାଉଛନ୍ତି।

ଅବଶ୍ୟ, କଥାଟା ଖୁସି ଲାଗିଲା ଭଳି। ହେଲେ କ’ଣ କହିବେ କୁହନ୍ତୁ। ଏକାଠି ସିନା ହେବେ ହେଲେ ମାତ୍ର ଗୋଟିଏ ଶୋ’ ପାଇଁ।

ସୂଚନା ମୁତାବକ ସୁନୀଲ୍‌ ଏଥର ଶୋକୁ ଅତିଥି ହୋଇ କପିଲଙ୍କ ଶୋ’କୁ  ଆସୁଛନ୍ତି। ସୁନୀଲ, ଫିଲ୍ମ ‘ଭାରତ’କୁ ପ୍ରମୋଟ କରିବା ପାଇଁ କ୍ୟାଟ୍ରିନା ଓ ଟିମ୍‌ ସହ କପିଲ୍‌ଙ୍କ ଶୋକୁ ଆସିବେ। କପିଲ ଶର୍ମା ଓ ସୁନୀଲ ଗ୍ରୋବରଙ୍କୁ ଏକାଠି ତ ଦେଖିବାକୁ ମିଳିବ କିନ୍ତୁ କେବଳ ଫିଲ୍ମର ପ୍ରୋମୋଶନ ପାଇଁ। କପିଲ ଶର୍ମା ଓ ସୁନୀଲ ଗ୍ରୋବରଙ୍କୁ ଏକାଠି ୨୦୧୭ରେ ‘ଦ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଥିଲା। ଯେତେବେଳେ ଏମାନେ ଅଷ୍ଟ୍ରେଲିଆରେ ଶୋ’ କରିବାକୁ ଯାଉଥିଲେ, ସେତେବେଳେ ଫ୍ଲାଇଟ୍‌ରେ ଉଭୟଙ୍କ ମଧ୍ୟରେ ଟିକେ ବଚସା ହୋଇଯାଇଥିଲା। ଏହାର ତୁରନ୍ତ ପରେ ସୁନୀଲ ଶୋ’ ଛାଡ଼ିଦେଇଥିଲେ।  ଏହାପରେ ସେ ଷ୍ଟାରପ୍ଲସରେ ଏକ ଶୋ ‘କାନପୁର ୱାଲେ ଖୁରାନାଜ’ ଆରମ୍ଭ କରିଥିଲେ। ହେଲେ ଏହାକୁ ଏତେ ଭଲ ରେସପନ୍ସ ନ ମିଳିବାରୁ ଏହାକୁ ବନ୍ଦ କରିଦିଆଗଲା। ସୁନୀଲ ଗ୍ରୋବର କହିଛନ୍ତି, ‘ଯେବେ ବି ମୁଁ କପିଲଙ୍କ ସହ କାମ କରିଛି ମୋର ଏକ ସୁଖଦ ଅନୁଭବ ରହିଛି। କପିଲ ଜଣେ ପ୍ରତିଭାଶାଳୀ କଳାକାର। ମୁଁ ଭଗବାନଙ୍କ ନିକଟରେ ତାଙ୍କର ମଙ୍ଗଳ କାମନା କରିବି। ଯଦି ଭଗବାନ ଚାହିଁବେ ତେବେ ଆମେ ନିଶ୍ଚିତ ଏକାଠି କାମ କରିବୁ।’