Odia News Portal

ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ଜୟଶଙ୍କରଙ୍କ କଡ଼ା ଜବାବ

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର କଡ଼ା ଜବାବ ଦେଇ ଚର୍ଚ୍ଚାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଶୁକ୍ରବାର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଜାହାଜ ଓ ନାବିକଙ୍କ ସୁରକ୍ଷା ସମ୍ପର୍କିତ ‘ଗ୍ରୁପ୍ ଅଫ୍ ଫ୍ରେଣ୍ଡସ୍’ର ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ଏବଂ ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେସୋଲୋ ନ୍ୟାଣ୍ଟି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ପାକିସ୍ତାନୀ ସାମ୍ବାଦିକ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ—
“ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କେବେ ବନ୍ଦ କରିବ ଆପଣଙ୍କ ସରକାର?” ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ “ଏକ ଆତଙ୍କବାଦୀ ଦେଶର ସାମ୍ବାଦିକ ମୋତେ ଏହି ପ୍ରଶ୍ନ ପଚାରୁଛି।” ଜୟଶଙ୍କରଙ୍କ ଏହି ଜବାବ ପରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହର୍ଷବର୍ଦ୍ଧନ ଶୃଙ୍ଗଲା ନୁହେଁ, ହର୍ଷବର୍ଦ୍ଧନ ପର୍ବତାନେନି ସାମ୍ବାଦିକଙ୍କୁ କହିଥିଲେ “ଆପଣ ଆପଣଙ୍କ ଉତ୍ତର ଶୁଣିସାରିଛନ୍ତି। ଆପଣଙ୍କୁ ସ୍ପଷ୍ଟ ଭାବେ ଉତ୍ତର ଦିଆଯାଇଛି।”

ତେବେ ଏହି ଘଟଣାର ଠିକ୍ ଗୋଟିଏ ଦିନ ପୂର୍ବରୁ ମଧ୍ୟ ଜାତିସଂଘ ମୁଖ୍ୟାଳୟକୁ ପ୍ରବେଶ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଜଣେ ଭାରତୀୟ ସାମ୍ବାଦିକ ଆତଙ୍କବାଦ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ସାମ୍ବାଦିକ ଜଣକ ପଚାରିଥିଲେ “ଆପଣ କେବେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ କରିବେ?” ଏହି ଦୁଇଟି ଘଟଣା ପରେ ଜାତିସଂଘ ପରିସରରେ ଭାରତ-ପାକିସ୍ତାନ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।