ଓଡ଼ିଶା ଗସ୍ତରେ ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଦୁଇ ଦିନିଆ ଗସ୍ତରେ ତାଙ୍କ ସହ ଓଡ଼ିଶା ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ। ନୂଆ ଦାୟିତ୍ୱ ମିଳିବା ପରେ ଉଭୟ ନେତାଙ୍କ ଏହି ପ୍ରଥମ ଗସ୍ତକୁ ନେଇ ରାଜ୍ୟ ବିଜେପି ସଂଗଠନରେ ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ଦିନିଆ ଗସ୍ତ ସମୟରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବରିଷ୍ଠ ନେତା, ପଦାଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଡି. ପୁରନ୍ଦେଶ୍ୱରୀ ଓ ଡ. ସ୍ୱଦେଶ ସିଂ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଯୋଗଦେବା ନେଇ ମଧ୍ୟ ସୂଚନା ମିଳିଛି।
ବୈଠକର ମୁଖ୍ୟ ଫୋକସ୍ ରହିପାରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ। ରାଜ୍ୟରେ ସରକାର ଚଳାଇବା ସହ ଦଳୀୟ ସଂଗଠନକୁ କିପରି ଅଧିକ ସୁଦୃଢ଼ କରାଯିବ, ସେନେଇ ହୋଇପାରେ ବିସ୍ତୃତ ଆଲୋଚନା। ବିଶେଷ କରି ବୁଥ୍ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଦଳର ସ୍ଥିତି, କର୍ମୀଙ୍କ ସହ ଯୋଗାଯୋଗ ଏବଂ ସରକାରଙ୍କ ଯୋଜନା ଓ ଦଳୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇପାରେ। ଅନ୍ୟପଟେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ମଧ୍ୟ ଦଳର ରଣନୀତି ପ୍ରସ୍ତୁତି ଏହି ବୈଠକର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। କେଉଁ ଅଞ୍ଚଳରେ ସଂଗଠନକୁ ଅଧିକ ମଜବୁତ କରିବା ଆବଶ୍ୟକ, କର୍ମୀଙ୍କୁ କିପରି ଅଧିକ ସକ୍ରିୟ କରାଯିବ ଏବଂ ସ୍ଥାନୀୟ ସ୍ତରରେ ଦଳର କାର୍ଯ୍ୟକଳାପକୁ କିପରି ଗତିଶୀଳ କରାଯିବ, ସେନେଇ ଆଲୋଚନା ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୩ ତାରିଖରେ ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ସମୟରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ପ୍ରଭାରୀ ଏବଂ ଡ. ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ମଧ୍ୟ ପୁରନ୍ଦେଶ୍ୱରୀ ଓଡ଼ିଶା ବିଜେପିର ସାଂଗଠନିକ ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ଏଥରର ପରିସ୍ଥିତି କିଛିଟା ଭିନ୍ନ। ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ଆଗକୁ ସ୍ଥାନୀୟ ନିର୍ବାଚନ ରହିଛି। ଏଭଳି ସମୟରେ ନୂଆ ପ୍ରଭାରୀ ଓ ସହପ୍ରଭାରୀଙ୍କ ଏହି ଗସ୍ତକୁ ଦଳୀୟ ସଂଗଠନର ଆଗାମୀ ଦିଗ ନିର୍ଦ୍ଧାରଣ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ଏହି ଦୁଇ ଦିନିଆ ବୈଠକରୁ ବିଜେପିର ଆଗାମୀ ସାଂଗଠନିକ ରଣନୀତି କ’ଣ ରହିବ ଏବଂ ସ୍ଥାନୀୟ ନିର୍ବାଚନ ପାଇଁ ଦଳ କିପରି ପ୍ରସ୍ତୁତି ଆରମ୍ଭ କରିବ, ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର।
