Odia News Portal

କଂଗ୍ରେସକୁ ଫେରନ୍ତୁ ମମତା, ନେତୃତ୍ବକୁ ମାନିବେ ଅଧିର

ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପୁଣିଥରେ କଂଗ୍ରେସକୁ ଫେରିଆସିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। କେବଳ ମମତା ନୁହେଁ, ତାଙ୍କ ସହ ବିଧାୟକ ଓ ସାଂସଦମାନେ ମଧ୍ୟ କଂଗ୍ରେସରେ ସାମିଲ ହୁଅନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।ଅଧୀରଙ୍କ କହିବା ଅନୁସାରେ, ମମତା କଂଗ୍ରେସକୁ ଫେରିଲେ ପଶ୍ଚିମବଙ୍ଗରେ ତାଙ୍କ ନେତୃତ୍ୱରେ କାମ କରିବାକୁ ଦଳ ପ୍ରସ୍ତୁତ। ଏଥିପାଇଁ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଅନୁରୋଧ କରିବେ ବୋଲି କହିଛନ୍ତି। ତେବେ ଏହା ଅଧୀରଙ୍କ ବ୍ୟକ୍ତିଗତ ପ୍ରସ୍ତାବ। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଅନ୍ୟପଟେ, ତୃଣମୂଳ କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତିକୁ ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ରାଜନୈତିକ ପରିସ୍ଥିତିକୁ ନେଇ ଅଧୀର ଟିଏମସିର ସଂଗଠନ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ଏବେ ଅଲଗା ସଂଗଠନ ରଖିବାର ଆବଶ୍ୟକତା ନାହିଁ ଏବଂ ନିର୍ବାଚନ ପରେ ଟିଏମସିର ସ୍ଥିତି ଦୁର୍ବଳ ହୋଇଛି।ମମତାଙ୍କୁ ନେଇ ଅଧୀରଙ୍କ ଏହି ବୟାନର ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଛି। ପ୍ରାୟ ତିନି ଦଶନ୍ଧି ପୂର୍ବେ କଂଗ୍ରେସ ଛାଡ଼ି ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। ଆଉ ଏବେ ତାଙ୍କୁ ପୁଣି ସେହି କଂଗ୍ରେସକୁ ଫେରିବାକୁ ଆହ୍ୱାନ ଦିଆଯାଇଛି।

ତେବେ ଅଧୀରଙ୍କ ଏହି ପ୍ରସ୍ତାବକୁ ନେଇ ଟିଏମସି ପକ୍ଷରୁ କୁହାଯାଇଛି ଯେ, ଏହା ତାଙ୍କର ବ୍ୟକ୍ତିଗତ ମତ। କଂଗ୍ରେସର ଶୀର୍ଷ ନେତୃତ୍ୱ ପକ୍ଷରୁ ଆନୁଷ୍ଠାନିକ ପ୍ରସ୍ତାବ ଆସିଲେ ହିଁ ଏହା ଉପରେ ଆଲୋଚନା କରାଯାଇପାରିବ। ତେବେ ଅଧୀରଙ୍କ ଏହି ଆହ୍ୱାନକୁ ମମତା ବାନାର୍ଜୀ କିଭଳି ଗ୍ରହଣ କରିବେ? କଂଗ୍ରେସ ଓ ଟିଏମସି ମଧ୍ୟରେ ଆଗକୁ କୌଣସି ନୂଆ ସମୀକରଣ ସୃଷ୍ଟି ହେବ କି? ଏବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ରାଜନୀତିର ପରବର୍ତ୍ତୀ ଘଟଣାକ୍ରମ ଉପରେ।