Odia News Portal

ସ୍କୁଲ୍‌ରେ ମିଳିବ ଖିରି, ହାଲୱା ଓ ଓଟ୍ସ ବିସ୍କୁଟ୍, ଦିଲ୍ଲୀର ସ୍କୁଲ୍‌ରେ ବଦଳିବ ମିଡ୍‌-ଡେ ମିଲ୍ ମେନୁ

ନଭେମ୍ବରରୁ ପ୍ରାୟ ୧,୫୦୦ ସ୍କୁଲ୍‌ରେ ନୂଆ ମେନୁ ଲାଗୁ କରିବାକୁ ଯୋଜନା | ଦାୟିତ୍ୱ ନେଇପାରନ୍ତି ୧୩ଟି ନୂଆ ସଂସ୍ଥା

ନୂଆଦିଲ୍ଲୀ: ସ୍କୁଲ୍ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିକର ଓ ଆକର୍ଷଣୀୟ କରିବାକୁ ଦିଲ୍ଲୀ ନଗର ନିଗମ ବା ଏମ୍‌ସିଡି ପକ୍ଷରୁ ନୂଆ ପଦକ୍ଷେପ ନିଆଯାଉଛି। ଏଣିକି ପିଲାଙ୍କ ଥାଳିରେ କେବଳ ଭାତ, ଡାଲି ଓ ତରକାରି ନୁହେଁ, ବରଂ ଖିରି, ହାଲୱା, ଫଳ ଏବଂ ଓଟ୍ସ ବିସ୍କୁଟ୍ ଭଳି ଖାଦ୍ୟ ମଧ୍ୟ ସାମିଲ ହେବାକୁ ଯାଉଛି। ନଭେମ୍ବରରୁ ଦିଲ୍ଲୀ ନଗର ନିଗମ ଅଧୀନରେ ଥିବା ପ୍ରାୟ ୧,୫୦୦ ସ୍କୁଲ୍‌ରେ ନୂଆ ମିଡ୍‌-ଡେ ମିଲ୍ ମେନୁ ଲାଗୁ କରିବାକୁ ଯୋଜନା ରହିଛି।

ନୂଆ ମେନୁର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ମଧ୍ୟାହ୍ନ ଭୋଜନ ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବା। ଏଥିପାଇଁ ପ୍ରତିଦିନ ନିୟମିତ ମଧ୍ୟାହ୍ନ ଭୋଜନ ସହ ଅତିକମ୍‌ରେ ଗୋଟିଏ ସ୍ୱତନ୍ତ୍ର ଖାଦ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ଓଟ୍ସ କେକ୍ ଓ ବିସ୍କୁଟ୍ ଭଳି ଖାଦ୍ୟ ବିକଳ୍ପକୁ ମଧ୍ୟ ବିଚାର କରାଯାଉଛି।

ନୂଆ ଖାଦ୍ୟ ତାଲିକାରେ ସାମ୍ବର-ଭାତକୁ ସାମିଲ କରିବାର ଯୋଜନା ରହିଛି। ସେହିପରି ପୂର୍ବରୁ ଦିଆଯାଉଥିବା ପୁରୀ-ଆଳୁ ତରକାରି, ଡାଲି-ଭାତ ଏବଂ ଛୋଲେ-ଭାତ ଭଳି ଖାଦ୍ୟ ମଧ୍ୟ ଜାରି ରହିବ। ଏଥିସହ ସପ୍ତାହରେ ଦୁଇଥର ଗହମ ଓ

ରାଗିରେ ପ୍ରସ୍ତୁତ ହାଲୱା ପରିବେଷଣ କରିବାକୁ ଯୋଜନା କରାଯାଇଛି।

କେବଳ ମେନୁରେ ପରିବର୍ତ୍ତନ ନୁହେଁ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଯାଉଛି ଏମ୍‌ସିଡି। ସ୍କୁଲ୍‌ର ରୋଷେଇ ଘରଗୁଡ଼ିକୁ ନୂଆ ସଂସ୍ଥାଙ୍କ ହାତକୁ ହସ୍ତାନ୍ତର କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଚୟନ ହୋଇଥିବା ରୋଷେଇ ଘରଗୁଡ଼ିକର ସର୍ଭେ ମଧ୍ୟ କରାଯାଉଛି। ପ୍ରାୟ ୧୩ଟି ନୂଆ ସଂସ୍ଥା ଏହି ଦାୟିତ୍ୱ ନେଇପାରନ୍ତି।

ଉପଲବ୍ଧ ରୋଷେଇ ଭିତ୍ତିଭୂମିକୁ ଉପଯୋଗ କରି ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି। ତେବେ ନୂଆ ମେନୁ ଲାଗୁ ହେବା ପରେ ପିଲାମାନଙ୍କୁ ଅଧିକ ବିବିଧ ଖାଦ୍ୟ ମିଳିବା ସହ ସେମାନଙ୍କ ପୁଷ୍ଟି ଓ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ ବୋଲି ଆଶା କରାଯାଉଛି।

ନଭେମ୍ବରରୁ ଲାଗୁ ହେବାକୁ ଥିବା ଏହି ନୂଆ ଯୋଜନା ଦିଲ୍ଲୀର ସ୍କୁଲ୍ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ କେତେ ଅଧିକ ପୁଷ୍ଟିକର ଓ ଆକର୍ଷଣୀୟ କରିପାରୁଛି, ତାହା ଉପରେ ଏବେ ନଜର।