କିଏ କେଉଁ ଦଳ ଛାଡି କେଉଁ ଦଳକୁ ଡିଆଁ ମାରୁଛନ୍ତି ତାହା ଆକଳନ କରି ହେଉନି । ପ୍ରତିଦିନ ଦଳ ଡିଆଁ ଖବର ସାମ୍ନାକୁ ଆସୁଛି । ବିରୋଧ ବି କିଛି କମ୍ ହେଉନି । ପ୍ରଥମ ଓ ଦ୍ବୀତିୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ସବୁଦଳଙ୍କ ଭିତରେ ଛକାପଞ୍ଛା ରାଜ୍ୟ ରାଜନୀତିକୁ ରୋଚକ କରିଛି ।
ଜମୁଛି ରାଜନୀତି। କିଏ କାହାକୁ ମାତ୍ ଦେବ ସେଇ ଛକାପଞ୍ଝାରେ ତିନି ଦଳ । କିଏ ଟିକେଟ ପାଇବ, କାହାର ପତ୍ତା କଟିବ, କିଏ ଦଳ ଡେଇଁ ଅନ୍ୟ ଦଳରୁ ଟିକେଟ ହାତେଇବ- ତାକୁ ନେଇ ନୀତି ଅଙ୍କକଷା ଚାଲିଛି । ବିଜେଡି ଦୁଇ ପର୍ୟ୍ୟାୟ ଟିକେଟ ଘୋଷଣା କରିଥିଲେ ବି ସେଥିରୁ ୯ ବିଧାନସଭା ଆସନ ଏବେ ବି ଝୁଲାଇ ରଖିଛି । କୁହାଯାଉଛି ସେହି ସ୍ଥାନରୁ କିଏ ଲଢ଼ିବେ ସେମାନଙ୍କୁ ସଙ୍କେତ ଦିଆସରିଛି । ବିଦ୍ରୋହୀଙ୍କୁ ଚକମା ଦେବାକୁ କେବଳ ନାଁ ଘୋଷଣା ବାକି ରହିଛି ।
ସେପଟେ ବିଜେପି ଏକପାଖିଆ ମିଶ୍ରଣରେ ମାତିଛି । ଯିଏ କଂଗ୍ରେସ ଓ ବିଜେଡି ଛାଡୁଛନ୍ତି ତାଙ୍କ ପାଇଁ ବିଜେପି ଦୁଆର ଖୋଲା । କଂଗ୍ରେସର ପୂର୍ବତନ ବିଧାୟକ ଦେବୀ ଚାନ୍ଦ ଇସ୍ତଫା ଦେବାପରେ ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି । ସେହିଭଳି ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ବି ଉଠୁଛି । ଆଜି ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଶଙ୍ଖ ଛାଡି ପଦ୍ମ ପୋଖରୀକୁ ଲମ୍ଫ ଦେଇଛନ୍ତି । ସେପଟେ ବିଜେଡିରୁ ଇସ୍ତଫା ଦେଇଥିବା ପ୍ରତ୍ୟୁଷା ରାଜେଶ୍ବରୀ କଂଗ୍ରେସରେ ମିଶିବାକୁ ସଜବାଜ ହେଉଛନ୍ତି ।
ସେପଟେ ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ସବୁଦଳ ପାଇଁ ବଡ ଚ୍ୟାଲେଞ୍ଜ ହେଲାଣି । ନବୀନ ନିବାସରେ ଆଶାୟୀଙ୍କ ଭିଡ କମୁନି । ସେପଟେ ବିଜେପି ଅନ୍ୟଦଳରୁ ଏତେ ନେତାଙ୍କୁ ଆଣି ମିଶାଉଥିବାରୁ ଦଳ ପାଇଁ ଏହା ସମସ୍ୟା ହେବନି ତ ବୋଲି ପ୍ରଶ୍ନ ଉଠିଲାଣି ।