ବଜାରରେ ଲଗାତାର ବିକ୍ରି ଚାପ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ସୁନା ଦର ରେକର୍ଡ ସର୍ବୋଚ୍ଚ ସ୍ତରରୁ ପ୍ରାୟ ୫୩ ହଜାର ୭୦୦ ଟଙ୍କା ହ୍ରାସ ପାଇଛି। ଗତ ୯ ଦିନ ମଧ୍ୟରେ ସୁନା ଦର ୧୭ ହଜାର ୬୦୦ ଟଙ୍କା ଶସ୍ତା ହୋଇଛି। ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ନିବେଶକଙ୍କ ଚିନ୍ତା ବଢ଼ାଇଛି। ଆମେରିକୀୟ ଡଲାରର ଶକ୍ତି ବୃଦ୍ଧି, ବଣ୍ଡ ଉପଜରେ ଉତ୍ଥାନ ଏବଂ ସୁଧହାର ବୃଦ୍ଧି ନେଇ ଆଶଙ୍କା ଯୋଗୁଁ ସୁନା ଓ ରୂପା ବଜାର ଉପରେ ଚାପ ସୃଷ୍ଟି ହୋଇଛି। ଫଳରେ କ୍ରମାଗତ ଭାବେ ହ୍ରାସ ପାଉଛି ମୂଲ୍ୟ, ଯାହା ଗତ ଏକ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି।
ଶୁକ୍ରବାର ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ଦର ୫ ହଜାର ୨୦୦ ଟଙ୍କା ହ୍ରାସ ପାଇଛି। ଏହା ସହ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ସମସ୍ତ ଟିକସ ସହିତ ୧ ଲକ୍ଷ ୨୯ ହଜାର ୩୦୦ ଟଙ୍କାକୁ ଖସି ଆସିଛି। ଗୁରୁବାର ଏହି ଦର ୧ ଲକ୍ଷ ୩୪ ହଜାର ୫୦୦ ଟଙ୍କା ଥିଲା। ଗତ ୯ ଦିନରେ ସୁନା ଦର ୧୭ ହଜାର ୬୦୦ ଟଙ୍କା, ଅର୍ଥାତ୍ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇଛି। ଶନିବାର ଓ ରବିବାର ସୁନା ବଜାର ବନ୍ଦ ରହୁଥିବାରୁ ଆଗାମୀ କାରବାର ଦିନରେ ଦର କେଉଁ ଦିଗକୁ ଗତି କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ସୁନା ଓ ରୂପା ଦରର ଏହି ବଡ଼ ହ୍ରାସ ଆଗକୁ ମଧ୍ୟ ଜାରି ରହିବ କି, ନା ପୁଣି ମୂଲ୍ୟରେ ଉଛାଳ ଆସିବ? ଏହାକୁ ନେଇ ବଜାରରେ ଚର୍ଚ୍ଚା ଜୋର ଧରିଛି।