ଆଇପିଏଲ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ରୋମାଞ୍ଚକର ବିଜୟ। ନିଶ୍ଚିତ ଜିତିବା ମ୍ୟାଚ୍ ହାରିଗଲା ଦିଲ୍ଲୀ କ୍ୟାପିଟାଲ୍ସ। ବିଜୟ ଛଡ଼ାଇ ନେଲା ପଞ୍ଜାବ। ଗତକାଲି ଖେଳାଯାଇଥିବା ମ୍ୟାଚରେ ୧୪ ରନରେ ବିଜୟୀ ହୋଇଛି କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ୧୬୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୬ ଓଭର ୩ଟି ବଲ୍ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୪୪ ରନ୍ କରିଥିଲା। ତେବେ ଦିଲ୍ଲୀର ବିଜୟ ରଥକୁ ଅଟକାଇଥିଲେ ପଞ୍ଜାବ ବୋଲର ସାମ୍ କରନ୍। ହାଟ୍ରିକ୍ ଓ୍ଵିକେଟ ନେଇଥିଲେ। ମାତ୍ର ୮ ରନ୍ ଭିତରେ ଖସି ପଡ଼ିଥିଲା ଶେଷ ୭ଟି ଓ୍ଵିକେଟ୍ । ଫଳରେ ଜିତିବା ମ୍ୟାଚ୍ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୧୬୬ ରନ୍ କରିଥିଲା। ଦଳ ପକ୍ଷରୁ ଡେଭିଡ୍ ମିଲର ସର୍ବାଧିକ ୪୩ ରନ୍, ସର୍ଫରାଜ ଖାନ୍ ୩୯, ମନଦୀପ ସିଂହ ୨୯ ରନ୍ କରିଥିଲେ। ଆଇପିଏଲ୍ରେ ଏହା ଥିଲା ପଞ୍ଜାବର ତୃତୀୟ ବିଜୟ। ସେହିପରି ୪ଟି ମ୍ୟାଚ୍ ଖେଳି ଦ୍ୱିତୀୟ ପରାଜୟ ବରଣ କରିଛି ଦିଲ୍ଲୀ। ଅନ୍ଯପଟେ ଆଜି ଆଇପିଏଲ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍।