Odia News Portal

ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଲଣ୍ଡନ() ଆଜି ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ । ଇଂଲଣ୍ଡ ଏବଂ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବକପ୍ ଫାଇନାଲ । ଚାରି ବର୍ଷରେ ଥରେ ଆୟୋଜିତ କ୍ରିକେଟ୍ ମହାଯୁଦ୍ଧର ଏହି ମହାମୁକାବିଲା ଉପରେ ଏବେ ସାରା ବିଶ୍ବର ନଜର ରହିଛି। ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତି ନାହାନ୍ତି। ସେହି ଦୃଷ୍ଟିରୁ ଆଜିର ଫାଇନାଲ୍ ପୂର୍ବର ସବୁ ଫାଇନାଲଠାରୁ ସ୍ବତନ୍ତ୍ର ବୋଲି କୁହାଯାଉଛି। ତେବେ ଆଜିର ଫାଇନାଲ ମ୍ୟାଚ୍ ରୋମାଚଂକର ହେବା ଆଶା କରାଯାଉଛି ।

ଇଂଲଣ୍ଡ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଆସିଛି । ପୁରା ଟିମ୍ ନିର୍ଭର କରୁଛି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଜାସନ ରୟ ଓ ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ । ସେପଟେ ଏହାକୁ କଡା ଟକ୍କର ଦେବ ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ପେସ୍ ବାହିନୀ ।

ଉଭୟ ଦେଶ ପରସ୍ପର ବିପକ୍ଷରେ ଏଯାଏଣ ୯୦ଟି ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୪୧ ଏବଂ ନ୍ୟୁଜିଲାଣ୍ଡ ୪୩ ମ୍ୟାଚ୍ ଜିତିଛି। ଦୁଇଟି ମ୍ୟାଚ୍ ଟାଇ ରହିଛି। ୪ଟି ମ୍ୟାଚ୍ ର ଫଳାଫଳ ମିଳିନି। ବିଶ୍ବକପ ଫଳାଫଳରେ ମଧ୍ୟ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ ଟିକିଏ ଆଗରେ ରହିଛି। ବିଶ୍ବକପରେ ଉଭୟ ଦଳ ପରସ୍ପରକୁ ୯ ଥର ଭେଟିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍ ଜିତିଛି। ଇଂଲଣ୍ଡ ୪ଟିରେ ବିଜୟୀ ହୋଇଛି। ତେବେ ଏସବୁ ପରିସଂଖ୍ୟାନ ଅପେକ୍ଷା ଆଜି ଫାଇନାଲ ମୁକାବିଲାରେ ଯେଉଁ ଦଳର ପ୍ରଦର୍ଶନ ଭଲ ରହିବ ସେ ହିଁ ନୂଆ ବିଶ୍ବ ଚାମ୍ପିଅନ୍ ହେବ।