Odia News Portal

ଭୁବନେଶ୍ୱରରେ ସର୍ବଭାରତୀୟ ପୁଲିସ୍‌ ହକି ଚାମ୍ପିଅନସିପ୍‌

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ୬୮ତମ ସର୍ବଭାରତୀୟ ପୁଲିସ୍‌ ହକି ଚାମ୍ପିଅନସିପ୍‌ । ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭିତ୍ତିଭୂମି ରହିଥିବାରୁ ସର୍ବଭାରତୀୟ ପୁଲିସ୍‌ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ (ଏଆଇପିଏସ୍‌ସିବି) ଚଳିତ ବର୍ଷ ଚାମ୍ପିଅନସିପ୍‌ ଆୟୋଜନ ଅଧିକାର ଓଡ଼ିଶା ପୁଲିସ୍‌କୁ ପ୍ରଦାନ କରିଛି । କ୍ରୀଡ଼ା ଆୟୋଜନ ନେଇ ଆଜି ଭୁବନେଶ୍ୱର କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ବୈଠକରେ ଓଡ଼ିଶା ପୁଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିବା ନେଇ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ କ୍ରୀଡ଼ା ବିଭାଗକୁ ଏ ବିଷୟରେ ବିଧିବଦ୍ଧ ଅନୁରୋଧ କରାଯାଇ କ୍ରୀଡ଼ାସୂଚୀ ଚୂଡ଼ାନ୍ତ କରାଯିବ । ଚାମ୍ପିଅନସିପ୍‌ରେ ସାରା ଦେଶର ରାଜ୍ୟ ପୁଲିସ୍‌ ଓ କେନ୍ଦ୍ରୀୟ ସୁରକ୍ଷା ବଳରୁ ମୋଟ୍‌ ୩୦ ଦଳ ଅଂଶ ଗ୍ରହଣ କରୁଥିବାରୁ ୬୦୦ରୁ ଊଦ୍ଧ୍ୱର୍ ଖେଳାଳିଙ୍କ ସମାବେଶ ଭୁବନେଶ୍ୱରରେ ହେବ । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରର ଖେଳାଳି ରହିଛନ୍ତି । ସେମିତି କ୍ରୀଡ଼ା ପରିଚାଳନା ପାଇଁ ୫୦ରୁ ଊଦ୍ଧ୍ୱର୍ ଅଫିସିଆଲ୍‌ ଆସିବେ । ଖେଳାଳି, କୋଚ୍‌ ଓ କ୍ରୀଡ଼ା ଅଧିକାରୀଙ୍କ ରହଣି ପାଇଁ ଉଚିତ ବ୍ୟବସ୍ଥା ଗ୍ରହଣ କରାଯିବ ।

ବିଭିନ୍ନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପରାମର୍ଶ କ୍ରମେ କମିଟି ଓ ଉପ କମିଟିମାନ ଗଠନ କରାଯାଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯିବ । ଡିଜିପି ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କମିଟିର ଉପାଧ୍ୟକ୍ଷ ଓ ଆଇ.ଜି ଅମିତାଭ ଠାକୁର କମିଟିର ସମ୍ପାଦକ ରହିବେ । ବିଭିନ୍ନ କମିଟି ଯଥା- ଅଭ୍ୟର୍ଥନା କମିଟି, ବ୍ୟବସ୍ଥାପନ କମିଟି, ପରିବହନ କମିଟି, ଗଣମାଧ୍ୟମ ଓ ପ୍ରଚାର କମିଟି, ସ୍ମରଣିକା କମିଟି ଓ ଅର୍ଥ କମିଟି ଗଠନ ହେବ । ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ଏହି ସବୁ କମିଟିର ଦାୟିତ୍ୱରେ ରହିବେ । ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଅତିରିକ୍ତ ପୁଲିସ କମିଶନର ସଂଜୟ ସିଂ, ଆଇ.ଜି ରେଖା ଲୋହାନୀ, ଅମିତାଭ ଠାକୁର, ଡିସିପି ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସହ ଅନ୍ୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ବେଶ୍‌ ସଫଳତାର ସହ ଆୟୋଜିତ ହୋଇ ସାରିଛି । ସଫଳ ଆୟୋଜନ ନେଇ ଓଡ଼ିଶା ସରକାରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ ମିଳିଛି । ତେଣୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନ ଭୁବନେଶ୍ୱରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି ।