Odia News Portal

ସରକାର କ୍ୱାର୍ଟର୍ସ ପାଇଁ ବିଜେଡିକୁ ଆଙ୍ଗୁଠି ଦେଖାଇଲେ ଦେବାଶିଷ

ଭୁବନେଶ୍ୱର : ବିଧାୟକ ପଦରୁ ଯିବାପରେ ସରକାରୀ କ୍ୱାଟର୍ସର ମୋହ ଛାଡି ନଥିବା ପୂର୍ବତନ ବିଧାୟକ ଦେବାଶିଷ ନାୟକ ଘର ଛାଡିବାପାଇଁ ନୋଟିସ୍‍ ପାଇଲାପରେ ଏବେ ବିଜେଡି ଓ ଦଳୀୟ ନୀତି ଆଡକୁ ଅଙ୍ଗୁଳି ଦେଖାଇଛନ୍ତି । ନିୟମ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଏଭଳି ନୋଟିସ୍‍ ଦେଇଥିବାବେଳେ ଆଇନ୍‍କୁ ମାନି ନିଜ ଆଡୁ ଘର ଛାଡିବା ବଦଳରେ ଖୋଦ୍‍ ନିଜ ଦଳକୁ ଶ୍ରୀ ନାୟକଙ୍କ ଏଭଳି ସମାଲୋଚନା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ବରୀର ବିଧାୟକଭାବେ ତାଙ୍କୁ ରାଜଧାନୀରେ ସରକାରୀ କ୍ୱାଟର୍ସ ମିଳିଛି । କେବଳ ଶ୍ରୀ ନାୟକ ନୁହନ୍ତି ତାଙ୍କ ଭଳି ୨୬ଜଣ ପୂର୍ବତନ ବିଧାୟକ ଏହିଭଳି ଭାବେ ସରକାର ଘର ମାଡି ବସିଛନ୍ତି । ତେବେ ସମସ୍ତଙ୍କୁ ଘର ଛାଡିବାପାଇଁ ନୋଟିସ୍‍ ଦିଆଯାଇଛି । ଅନ୍ୟମାନେ ବିଭିନ୍ନ କାରଣ ଦେଖାଉଥିବାବେଳେ ଶ୍ରୀ ନାୟକ କିନ୍ତୁ ପରୋକ୍ଷରେ ଏଥିପାଇଁ ବିଜେଡି ଓ ଏହାର ନେତାଙ୍କୁ କାଠଗଡାକୁ ଟାଣିଛନ୍ତି । ଗଣମାଧ୍ୟମକୁ ଶ୍ରୀ ନାୟକ କହିଛନ୍ତି ଯେ ବିଜେଡି ତିଆରିରେ ତାଙ୍କର ସହଯୋଗ ଥିଲା ।

ସେଥିପାଇଁ ସ୧ାନ ଦୃଷ୍ଟିରୁ ତାଙ୍କୁ ଟେଲିଫୋନ୍‍ କରି ଘର ଛାଡିବାପାଇଁ କୁହାଯାଇ ପାରିଥାନ୍ତା । ହେଲେ ତାହା ନକରି ଚପରାଶି ହାତରେ ନୋଟିସ୍‍ ପଠାଇଦେଲେ । ଏଭଳି ଯେଭଳି ଭାବେ ସରକାର ଚାଲିଛି ସେଥିରେ ସିଏ ଫିଟିଙ୍ଗ୍‍ ହୋଇ ନପାରିବାରୁ ଏଭଳି ଭାବେ ନୋଟିସ୍‍ ଆସିଥିବା ଦର୍ଶାଇଛନ୍ତି । ଶ୍ରୀ ଦେବାଶିଷଙ୍କ ଏଭଳି ଟାଣ ଟାଣ କଥା ବିଜେଡିରେ ହଲଚଲ ସୃଷ୍ଟି କରିଥିବାବେଳେ ଦଳୀୟ ନେତାମାନେ କିନ୍ତୁ ତାଙ୍କର ଏଭଳି ଆଚରଣ ନେଇ ଖୁସି ନାହାନ୍ତି । କିଛି ବିଜେଡି ନେତାଙ୍କ କହିବାକଥା ଯେ ଦେବାଶିଷଙ୍କର ରାଜଧାନୀରେ ବିଶାଳ ପ୍ରାସାଦ ରହିଛି । ତେଣୁ ନିୟମକୁ ସ୧ାନ ଦେଇ ସେ ନିଜ ଆଡୁ ଘର ଛାଡିଦେବା କଥା ।

କାରଣ ଶ୍ରୀ ନାୟକ ଜଣେ ସାଧାରଣ ବିଧାୟକ ନୁୂହନ୍ତି, ସେ ହେଉଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ । ଆଇନ୍‍ କାନୁନ୍‍ ବିଷୟରେ ତାଙ୍କ ଢେର ଜ୍ଞାନ ରହିଛି । ଘର ଛାଡିବାପାଇଁ କିଭଳି ନୋଟିସ୍‍ ଆସେ ତାହା ମଧ୍ୟ ସିଏ ଜାଣିଛନ୍ତି । ଏଥିରେ ଦଳ କିମ୍ବା ଦଳୀୟ ନେତାଙ୍କ କୌଣସି ଭୂମିକା ନଥାଏ । ପ୍ରଶାସନରେ ଏହା ଏକ ଧାରାବାହିକ ପ୍ରକ୍ରିୟା । କିନ୍ତୁ ଆଇନ୍‍କୁ ସମ୍ମାନ ଦେବା ବଦଳରେ ଶ୍ରୀ ନାୟକ ଯେଭଳି ଦଳକୁ କାଠଗଡାକୁ ଟାଣିଛନ୍ତି ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ କ୍ଷେତ୍ରରେ ଏହା ଅତ୍ୟନ୍ତ ଅଶୋଭନୀୟ । ଯଦି ଶ୍ରୀ ନାୟକ ସରକାରୀ ଘରଟିକୁ ନୋଟିସ୍‍ ପାଇଲା ମାତ୍ରେ ଛାଡିଦେଇଥାନ୍ତେ ତେବେ ତାଙ୍କ ପ୍ରତି ଲୋକଙ୍କର ସମ୍ମାନ ଆହୁରି ବଢିଥାନ୍ତା ।

ନିଜ ସରକାରୀ କ୍ୱାଟର୍ସରେ ‘ବରୀ ହାଉସ୍‍’ ବୋର୍ଡ ମାରିଛନ୍ତି । ଏବେ ଏହି ଘର ଛାଡିବା ବଦଳରେ ଯେଭଳି ଭାବେ ବୟାନ ଦେଉଛନ୍ତି ତାହା ବରୀ ବାସୀଙ୍କ ପ୍ରତି ଅପମାନ ବୋଲି କିଛି ନେତା ବି କହିବାକୁ ପଛାଉ ନାହାନ୍ତି । କେବଳ ଶ୍ରୀ ନାୟକ ନୁହନ୍ତି ଆଉକିଛି ପୂର୍ବତନ ବିଧାୟକ ବି ନାନା ଆଳ ଦେଖାଇ ସରକାରୀ ଘର ଛାଡୁ ନଥିବାବେଳେ ସେମାନଙ୍କ ଯୋଗୁଁ କିଛି ନୂଆ ବିଧାୟକ ପ୍ରାୟ ୬ମାସ ହେଲା ବିଧାନସଭା ଅତିଥିଭବନରେ ଡେରା ପକାଇଛନ୍ତି ।

ଆଉ କିଛି ଘର ଖଣ୍ଡେ ନପାଇ ହନ୍ତସନ୍ତ ହେଉଛନ୍ତି । ଏଣେ ବିଧାନସଭାର ବାଚସ୍ପତ ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବତନ ବିଧାୟକମାନେ ତୁରନ୍ତ ଘର ଛାଡିବା ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ସ୍ଥିତିରେ ଦେବାଶିଷଙ୍କ ଭଳି ଦଳର ଜଣେ ବରିଷ୍ଠ ସଦସ୍ୟ ସାମାନ୍ୟ ସରକାରୀ କ୍ୱାଟର୍ସକୁ ନେଇ ଏଭଳି ବକ୍ତବ୍ୟ ଦେବା ଅନେକ ଦଳୀୟ କର୍ମୀଙ୍କୁ ଆଚାର୍ଯ୍ଯ କରିଛି ।

   ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )