ବେଙ୍ଗାଲୁରୁ : କ୍ୱିଣ୍ଟନ ଡି କକ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତକୁ ୯ ୱିକେଟ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭ୍ରମଣକାରୀ ଦଳ ୧-୧ରେ ଟି-ଟ୍ୱେଣ୍ଟି ସିରିଜ୍ ଡ୍ର’ ରଖିବାରେ ସଫଳ ହୋଇଛି । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ୍ ବିନିମୟରେ ୧୩୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଶୃଙ୍ଖଳିତ ବୋଲିଂ ପାଇଁ ବେଉରାନ ହେଣ୍ଡରିକ୍ସ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିପରି ଉଭୟ ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଡି କକ୍ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ରୋହିତ ଶର୍ମା ଦୁଇଟି ଦର୍ଶନୀୟ ଚୌକା ମାରିଥିଲେ ହେଁ ମୋହାଲି ଭଳି ଏଥର ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ମାତ୍ର ୯ ରନ୍ କରି ସେ ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା କୋହଲି ଅପରାଜିତ ଶିଖର ଧାୱନଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍ରେ ୪୧ ରନ୍ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୬୩ ବେଳେ ଦ୍ୱିତୀୟ ୱିକେଟ୍ର ପତନ ଘଟିଥିଲା । ଧାୱନ ୨୫ଟି ବଲ୍ରୁ ୩୬(୪ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା । ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂର ଉଚିତ ମୁକାବିଲା କରିବାରେ ଭାରତୀୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ।
ଦ୍ୱିତୀୟ ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିବା କୋହଲି ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ପରେ ପରେ ରିଶଭ ପନ୍ତ ୧୯(୧ଚୌକା, ୧ଛକା), ଶ୍ରେୟାସ ଆୟର ୫, କୃନାଲ ପାଣ୍ଡ୍ୟା ୪ ରନ୍ କରି ପାଭିଲିୟନ ଫେରିଥିଲେ । ୯୮ ରନ୍ରେ ଘରୋଇ ଦଳ ୬ଟି ୱିକେଟ୍ ହରାଇଥିଲା । ଅନ୍ତିମ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ଓ ରବିନ୍ଦ୍ର ଜଡେଜା ୧୯(୧ଚୌକା, ୧ଛକା) ରନ୍ ସଂଗ୍ରହ କରିବାରୁ ଦଳୀୟ ସ୍କୋର ୧୩୪ରେ ପହଞ୍ଚିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ୱାସିଂଟନ ସୁନ୍ଦର ୪ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୩ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ବେଉରାନ ହେଣ୍ଡରିକ୍ସ ଓ ଜର୍ନ ଫର୍ଟୁଇନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଡି କକ୍ ଓ ରିଜା ହେଣ୍ଡରିକ୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୧୦ ଓଭର ମଧ୍ୟରେ ଦଳୀୟ ସ୍କୋର ୭୬ରେ ପହଞ୍ଚି ଯାଇଥିଲା । ୧୧ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଯୋଡି ଭାଙ୍ଗିଥିଲେ । ସେ ହେଣ୍ଡରିକ୍ସ(୨୮)ଙ୍କୁ ଆଉଟ୍ କରିଥିଲେ । ପ୍ରଥମ ୱିକେ୍ଟର ପତନ ବେଳକୁ ଭାରତ ହାତରୁ ମ୍ୟାଚ୍ ଏକ ପ୍ରକାର ଖସି ସାରିଥିଲା । ଡି କକ୍ ଗୋଟିଏ ପଟେ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟୀ କରାଇଥିଲେ । ତେମ୍ବା ବଭୁମାଙ୍କ ସହ ଅସମାପ୍ତ ଦ୍ୱିତୀୟ ୱିକେଟ୍ରେ ସେ ୬୬ ରନ୍ ଯୋଗ କରିଥିଲେ ।