ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ବେଶ୍ ତତ୍ପର ହୋଇଉଠିଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ । ମନ୍ତ୍ରୀମାନେ ନିଜ ନିଜ ବିଭାଗକୁ ଅଚାନକ ଗସ୍ତ କରି ସେଠାକାର ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କ୍ରୀଡା ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମକୁ ଅଚାନକ ଗସ୍ତ କରିବା ସହ ବିଭିନ୍ନ ଭିତ୍ତିଭୂମି ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଆସନ୍ତା ନଭେମ୍ବର ୨୦୨୦ରେ ହେବାକୁ ଥିବା ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଲାଗି ପଡିଆ ପ୍ରସ୍ତୁତି, ଷ୍ଟାଡିୟମର ଆଧୁନିକୀକରଣ ଏବଂ ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଡାଲମିଆ ଭାରତ ଗୋପୀଚାନ୍ଦ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ପାଇଁ ଥିବା ୩ ଏକର ପରିମିତ ଜାଗା ବୁଲି ଦେଖିବା ସହ ଗଗନ ନାରଙ୍ଗ ସୁଟିଂ ହାଇ-ପରଫରମାନ୍ସ ସେଣ୍ଟରର ଆଭ୍ୟନ୍ତରୀଣ କାର୍ଯ୍ୟ, ଗେଟ୍ ନଂ-୧ ନିକଟସ୍ଥ ହାଇ-ପରଫରମାନ୍ସ ହଷ୍ଟେଲ, ବହୁମୁଖୀ ଇଣ୍ଡୋର ହଲ ନିର୍ମାଣ ଆଦି ବିଷୟରେ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ।
କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ନାଭାଲ ଟାଟା ହକି ଏକାଡେମୀ ନିମନ୍ତେ ହେବାକୁ ଥିବା ୧୧ମହଲା ବିଶିଷ୍ଟ କୋଠାର ନିର୍ମାଣ ସଦ୍ୟତମ ବିଷୟରେ ମଧ୍ୟ ଅବଗତ ହୋଇଛନ୍ତି । ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ କ୍ରୀଡା ବିଭାଗ ଉପଶାସନ ସଚିବ ରଞ୍ଜିତ ପରିଡା ଏବଂ କଳିଙ୍ଗ ଷ୍ଟାଡିୟମର ଅଫିସର ଇନଚାର୍ଜ ବାରିଜ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )