Odia News Portal

ଦିବ୍ୟାଙ୍ଗ୍‍ ଖେଳାଳିଙ୍କୁ ଅଣଦେଖା କଲେ ମନ୍ତ୍ରୀ

ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କ ପାଇଁ ଭଳିକି ଭଳି ଯୋଜନା ଘୋଷଣା କରୁଥିବା ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅସଲ ମୁଖା ଖୋଲିଛନ୍ତି କିଛି ଦିବ୍ୟାଙ୍ଗ କ୍ରୀଡାବିତ୍‍ । ସେମାନଙ୍କୁ ସାହାଯ୍ୟ କରିବା ତ ଦୂରରକଥା ମନ୍ତ୍ରୀ କିଭଳି ସେମାନଙ୍କୁ କଥା ନହୋଇ ଫେରାଇଦେଲେ ତାହାର ବିବରଣୀ ଦେଇଛନ୍ତି ଗଣମାଧ୍ୟମ ସାମ୍ନାରେ । ଶୁକ୍ରବାର ରାଜ୍ୟ ହ୍ୱିଲ୍‍ ଚେୟାର କ୍ରିକେଟ ଟିମ୍‍ର ୧୫ଜଣିଆ ଦଳ ଟି ୨୦ ମ୍ୟାଚ୍‍ ଖେଳିବାପାଇଁ ଯାଉଛନ୍ତି ମଧ୍ୟପ୍ରଦେଶ ।

ଜାତୀୟ ସ୍ତରର ମ୍ୟାଚ ଖେଳିବା ପୂର୍ବରୁ ମନୋବଳ ବଢିବ କଣ ମନ୍ତ୍ରୀ ପଣ୍ଡାଙ୍କ ଠାରୁ ନିରାଶ ହେବାପରେ ହତାଶ ମନୋଭାବ ନେଇ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ରେଳ ଷ୍ଟେସନରେ କୋହ ସମ୍ଭାଳି ପାରିନାହାନ୍ତି ଟିମ୍‍ର ସଦସ୍ୟମାନେ । ମନ୍ତ୍ରୀଙ୍କ ଠାରୁ କିଭଳି ନିରାଶ ହେଲେ ତାହାର ଗୋଟି ଗୋଟି ବିବରଣୀ ଦେଇଛନ୍ତି । ଟିମ୍‍ କ୍ୟାପଟେନ୍‍ ଅଜୟ ଜେନା କହିଛନ୍ତି ଯେ ସାହାଯ୍ୟ ପାଇଁ ଆମେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଦେଖା କରିଥିଲୁ ।

ଆମ କଥା ଶୁଣିଲେ, କିନ୍ତୁ କିଛି କହିଲେ ନାହିଁ । ସାହାଯ୍ୟ ବି କିଛି କଲେ ନାହିଁ । ନିଜସ୍ୱ ଉଦ୍ୟମରେ ଆମେ ରାଜ୍ୟ ପାଇଁ ଖେଳିବାକୁ ଯାଉଛୁ । ରାଜ୍ୟର ଗୋଟିଏ କ୍ରୀଡାଦଳର ମୁଖ୍ୟଙ୍କ ଏଭଳି ଅଭିଯୋଗ ଏବେ ପୁଣିଥରେ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ୫-ଟି କଣ ମନ୍ତ୍ରୀ ଜାଣିନାହାନ୍ତି କି ବୋଲି ଅନେକ ପ୍ରଶ୍ନ କରୁଛନ୍ତି । କିଛି କ୍ରୀଡାବିତ୍‍ କହିଛନ୍ତି ଯେ ଦିବ୍ୟାଙ୍କମାନଙ୍କ ପାଇଁ ସୁବିଧା ସୁଯୋଗ କରିବାକୁ ସେ ମନ୍ତ୍ରୀ ହୋଇଛନ୍ତି । ହେଲେ ଆମ କଥା ଶୁଣିଲେ ନାହିଁ । ଯଦି ଆମେ କପ୍‍ ନେଇ ଆସିବୁ ତେବେ ଆମ ସାଙ୍ଗରେ ଆସି ଫଟୋ ଉଠାଇ ନିଜର ପ୍ରଚାର କରିବେ ।

ସେତେବେଳେ ସବୁ ବାହାବା ନେଇଯିବେ । ଆମେ ଦିବ୍ୟାଙ୍ଗ ହୋଇଥିବାରୁ ଆମକୁ ଅଣଦେଖା କରିଦେଲେ । କାରଣ ମନ୍ତ୍ରୀ ଜାଣିଛନ୍ତି ଆମେ ତାଙ୍କର କିଛି କାମରେ ଆସିବୁ ନାହିଁ କି ଆମ ମଧ୍ୟରୁ ଅନେକ ତାଙ୍କୁ ଭୋଟ ଦେବାର ବି ନାହିଁ । ତେଣୁ ସିଏ ଏଭଳି ଆଚରଣ କଲେ । ରେଳ ଷ୍ଟେସନରେ ରାଜ୍ୟର ଗୋଟିଏ କ୍ରୀଡା ଦଳ ବିଭାଗୀୟ ମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିବା ସେଠାରେ ଉପସ୍ଥିତ ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା । ଯଦି ଦିବ୍ୟାଙ୍ଗ ମାନଙ୍କ ପ୍ରତି ରାଜ୍ୟ ସରକାର ଏଭଳି ଆଚରଣ ପ୍ରଦର୍ଶନ କରିବେ ତେେ ୫-ଟି ଓ ମୋ ସରକାର ଯୋଜନା କାହାପାଇଁ ବୋଲି ଉପସ୍ଥିତ ଜନତା ପ୍ରଶ୍ନ କରିଥିଲେ ।

     ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )