Odia News Portal

ପ୍ରସ୍ତୁତ କଳିଙ୍ଗ : ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫ୍ସି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ରେ ଓଡ଼ିଶା ଏଫ୍ସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା
୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫ୍ସି ଏବଂ ଜାମ୍ସେଦ୍ପୁର ଏଫ୍ସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରସ୍ତୁତି ଚୂଡ଼ାନ୍ତ  ପର୍ଯ୍ୟାୟରେ ପହଂଚିଛି । ଚଳିତ ଆଇଏସ୍ଏଲ୍ରେ ଓଡ଼ିଶା ଏଫ୍ସି ତାର ପ୍ରଥମ ୯ଟି ମ୍ୟାଚ୍ ଭୁବନେଶ୍ୱର ବାହାରେ ଖେଳିବା  ପରେ ଏଥର ପ୍ରଥମ ଥର ପାଇଁ ଘରୋଇ ମାଟିରେ ଖେଳିବ । ଖେଳାଳିମାନଙ୍କୁ ଘରୋଇ ମାଟି ନିଶ୍ଚୟ ସୁହାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

 

ଏହାଛଡ଼ା ଘରୋଇ ମାଟିରେ ଖେଳିବା ପାଇଁ ଉଭୟ ଖେଳାଳି ଏବଂ ଟିମ୍ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଅଛନ୍ତି । ଓଡ଼ିଶା ଏଫ୍ସି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ମଧ୍ୟ ସପୂଂର୍ଣ୍ଣ ସହଯୋଗ ପାଇଛି । ଅନ୍ୟ ସମସ୍ତ ଖେଳ ଭଳି ରାଜ୍ୟ ସରକାର ଫୁଟ୍ବଲ୍ର ଉନ୍ନତି ପାଇଁ ଚନ୍ତା କରିଛନ୍ତି ଏବଂ କ୍ଲବ୍କୁ ସମସ୍ତ ପ୍ରକାର ସହଯୋଗର ହାତ ବଢେଇଛନ୍ତି । ଏହି ମୁକାବିଲା ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କୁହନ୍ତି, ‘ଓଡ଼ିଶାର ନିଜସ୍ୱ ଆଇଏସ୍ଏଲ୍ ଦଳ ଘରୋଇ ମାଟିରେ ତା’ର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି ଏବଂ ଏହା ଆମ ସମସ୍ତଙ୍କୁ ଉତ୍ସାହିତ କରିଛି । ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ, ଏବଂ ଏହି ମଇଦାନରେ ଘରୋଇ ଦଳ ଏଥର ୬ଟି ମ୍ୟାଚ୍ ଖେଳିବ । ଓଡ଼ିଶାର ସମସ୍ତଙ୍କ କ୍ରୀଡ଼ା ପ୍ରେମୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ବହୁତ ସଂଖ୍ୟାରେ ଆସି ଆମ ନିଜ ଟିମ୍ ଓଡ଼ିଶା ଏଫ୍ସିକୁ ଉତ୍ସାହିତ କରନ୍ତୁ ।

 

ଏହାଛଡ଼ା ଘରୋଇ ଦଳକୁ ମଧ୍ୟ ଚଳିତ ଲିଗ୍ ପାଇଁ ମୁଁ ଶୁଭକାମନା ଜଣାଉଛି ।’ ତେବେ ଘରୋଇ ମାଟିରେ ଖେଳିବା ପୂର୍ବରୁ ଓଡ଼ିଶା ଏଫ୍ସିର ମିଡ୍ଫିଲ୍ଡର୍ ଭିନିତ୍ ରାଏ କୁହନ୍ତି,
‘ଗ୍ରାଉଣ୍ଡ୍ ଭିତରେ ଆମେ ନିଶ୍ଚିତ ଭାବେ ଭଲ ଖେଳିବାକୁ ଚେଷ୍ଟା କରିବୁ । କିନ୍ତୁ ଷ୍ଟାଡିୟମ୍ରେଦର୍ଶକଙ୍କ ଉପସ୍ଥିତି ଆମକୁ ଆହୁରି ବେଶୀ ଉତ୍ସାହିତ କରିବ ଏବଂ ଭଲ ଖେଳିବାକୁ ପ୍ରେରଣା
ଦେବ । ସେଥିପାଇଁ ମୁଁ ଚାହେଁ ଯେ, ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକମାନେ ଆସି ଏହି ମ୍ୟାଚ୍ ପାଇଁ ଏବଂ ପୂରା ସିଜନ୍ ପାଇଁ ଆମକୁ ସମର୍ଥନ କରନ୍ତୁ ।’ ଓଡ଼ିଶା ଏଫ୍ସିର ସିଇଓ ଆଶିଷ ସାହ ମଧ୍ୟ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ
ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ସବୁ ମ୍ୟାଚ୍ ଭୁବନେଶ୍ୱର ବାହାରେ ଖେଳିଛୁ । ହେଲେ ଏବେ ଆମେ ନିଜ ମାଟିରେ ନିଜ ସମର୍ଥକମାନଙ୍କ ସାମ୍ନାରେ ମ୍ୟାଚ୍ ଖେଳିବାକୁ
ଯାଉଛୁ ।

 

ଏଥିପାଇଁ ଉଭୟ ଖେଳାଳି ଏବଂ ଟିମ୍ ମ୍ୟାନେଜ୍ମେଣ୍ଟ୍ ବେଶ୍ ଖୁସି । ଆଶା କରୁଛୁ ଓଡ଼ିଶାରେ କ୍ରୀଡ଼ା ପ୍ରେମୀମାନେ ବିପୁଳ ସଂଖ୍ୟାରେ ମ୍ୟାଚ୍ ଦେଖିବାକୁ ଆସି ଆମ ଖେଳାଳି ମାନଙ୍କୁ
ନିଶ୍ଚୟ ଉତ୍ସାହିତ କରିବେ । ଏଠାରେ ସୂଚନା ଥାଉକି, ଦର୍ଶକମାନଙ୍କ ପାଇଁ ପେଟିଏମ୍ ଇନ୍ସାଇଡର୍ରେ ଅନ୍ଲାଇନ୍ ଟିକେଟ୍
ଉବଲବ୍ଧ ଅଛି । ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ୍ର ୪ ନମ୍ବର ଗେଟ୍ରେ ମଧ୍ୟ ଦର୍ଶକମାନେ ମ୍ୟାଚ୍ ଟିକେଟ୍ ପାଇପାରିବେ ।

    ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )