ବିହାରର ଜଣେ ଯୁବକଙ୍କ ନିଆରା କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣକ ନିଜର ମାସକର ପ୍ରାୟ ସମସ୍ତ ଦରମା ବିମାନ ଟିକେଟ୍ କିଣିବାରେ ଖର୍ଚ୍ଚ କରିଥିବା ଖବର ସାମ୍ନାକୁ ଆସିଛି। ମାଆଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କେହି କେହି ନିଜର ସବୁକିଛି ଦେବାକୁ ପଛାନ୍ତି ନାହିଁ! ଆଉ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ବିହାରର ଜଣେ ଯୁବକ। ମାସ ସାରା ଝାଳ ବୁହାଇ ପରିଶ୍ରମ କରି ଯେଉଁ ଦରମା ରୋଜଗାର କରିଥିଲେ, ସେହି ପୂରା ଦରମାକୁ ଖର୍ଚ୍ଚ କରିଦେଲେ ଗୋଟିଏ ବିମାନ ଟିକେଟ୍ ପାଇଁ! କାହିଁକି ଜାଣନ୍ତି? ଟ୍ରେନ୍ରେ ନୁହେଁ, ବରଂ ବିମାନରେ ଘରକୁ ମାଆଙ୍କୁ ଦେଇଥିବା କଥା ରଖିବା ପାଇଁ ।
ଏହି ଯୁବକଙ୍କ ନାମ ଶତ୍ରୁଘ୍ନ କୁମାର। ଛଠ୍ ପୂଜା ଅବସରରେ ନିଜ ଗାଁକୁ ଫେରିବା ପାଇଁ ସେ ନିଜ ପରିବାର ଓ ଗାଁ ଲୋକଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲେ। ଏଥର ସେ ଟ୍ରେନ୍ରେ ନୁହେଁ, ବରଂ ବିମାନରେ ଘରକୁ ଫେରିବେ ବୋଲି କହିଥିଲେ। ନିଜର ସେହି ପ୍ରତିଶ୍ରୁତି ପୂରଣ କରିବା ସହ ମାଆଙ୍କୁ ଖୁସି କରିବା ପାଇଁ ସେ ବିମାନ ଟିକେଟ୍ କିଣିଥିଲେ । ଶତ୍ରୁଘ୍ନ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଜୀବିକା ନିର୍ବାହ ପାଇଁ ସେ ତାମିଲନାଡୁର ଚେନ୍ନାଇରେ ରହି ଏକ ଲୁହା କାରଖାନାରେ ୱେଲ୍ଡିଂ ଲେବର ଭାବେ କାମ କରନ୍ତି। ସାଧାରଣତଃ ଜଣେ ଶ୍ରମିକଙ୍କ ପାଇଁ ମାସକର ଦରମା ଅନେକ ଗୁରୁତ୍ୱ ବହନ କରେ। ଘରଭଡ଼ା, ଖାଇବା ଖର୍ଚ୍ଚ ଓ ପରିବାରର ଆବଶ୍ୟକତା ପୂରଣ କରିବା ପରେ ଟଙ୍କା ସଞ୍ଚୟ କରିବା ସହଜ ନୁହେଁ। ଏପରି ପରିସ୍ଥିତିରେ ବିମାନ ଯାତ୍ରା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି।
ପ୍ରଥମ ଥର ପାଇଁ ବିମାନରେ ଚଢ଼ିବା ପରେ ଶତ୍ରୁଘ୍ନଙ୍କ ଖୁସି ଦେଖିବାକୁ ମିଳିଥିଲା। ବିମାନ ଯାତ୍ରା ସମୟରେ ସେ ଜଣେ ଏୟାର ହୋଷ୍ଟେସ୍ଙ୍କ ସହ ଭିଡିଓ ରେକର୍ଡ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ତାଙ୍କର ସରଳ ବ୍ୟବହାର ଓ ପ୍ରଥମ ବିମାନ ଯାତ୍ରାର ଉତ୍ସାହ ଲୋକଙ୍କୁ ବେଶ୍ ଆକର୍ଷିତ କରିଛି।ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଅନେକ ଲୋକ ଭାବପ୍ରବଣ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଏହାକୁ ଜଣେ ପୁଅର ମାଆଙ୍କ ପ୍ରତି ଭଲପାଇବା ଓ ମାକୁ ଦେଇଥିବା ପ୍ରତିଶୃତି ପାଳନର ବଡ଼ ଉଦାହରଣ ବୋଲି କହୁଛନ୍ତି।
ଛଠ୍ ପୂଜା ବିହାରର ଏକ ପ୍ରମୁଖ ପର୍ବ। ଏହି ପର୍ବରେ ଭକ୍ତମାନେ ସୂର୍ଯ୍ୟଦେବ ଓ ଛଠୀ ମାଆଙ୍କ ପୂଜା କରିଥାନ୍ତି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିବା ଅନେକ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିବାକୁ ଚେଷ୍ଟା କରନ୍ତି। ପରିବାର ସହ ଏହି ପର୍ବ ପାଳନ କରିବା ସେମାନଙ୍କ ପାଇଁ ଏକ ବିଶେଷ ଅନୁଭୂତି। ଏହାରି ଭିତରେ ଛଟ ଉତ୍ସବରେ ଯୋଗଦେବାକୁ ଶତ୍ରୁଘ୍ନଙ୍କ ବିମାନ ଯାତ୍ରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
