Odia News Portal

‘ବାପୁଙ୍କ ଦେହାନ୍ତ ଖବର ପାଇ ମୁଁ ବହୁତ ଦୁଃଖିତ : ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ : ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚରେ ଲଗାତାର ୨୧  ମେଡେନ୍ ଓଭର ନେଇ ରେକର୍ଡ କରିଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦେହାନ୍ତ ବେଳେ ତାଙ୍କର ଦୁଇ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ଜ୍ବାଇଁ ବିଜୟ ଖାରେ କହିଛନ୍ତି।

ତାଙ୍କ ଦେହାନ୍ତରେ ସଚ୍ଚିନ ତେନ୍ଦୁଲକର ଶୋକ ବ୍ୟକ୍ତ କରିଛନ୍ତି। ସଚ୍ଚିନ ନିଜ ଟ୍ବିଟରେ ଲେଖିଛନ୍ତି କି, ‘ବାପୁଙ୍କ ଦେହାନ୍ତ ଖବର ପାଇ ମୁଁ ବହୁତ ଦୁଃଖିତ । ମୁଁ ତାଙ୍କର ଗୋଟିଏ ଟେଷ୍ଟରେ ଲଗାତାର ୨୧ ମେଡେନ୍ ଓଭର ବୋଲିଂ କରିବା ରେକର୍ଡ ସମ୍ପର୍କରେ ଶୁଣି ବଡ଼ ହୋଇଥିଲି। ତାଙ୍କ ପରିବାର ଏବଂ ପରିଜନଙ୍କୁ ସମ୍ବେଦନା ଜଣାଉଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’

ବାପୁ ନାଦକର୍ଣ୍ଣି ମୁମ୍ବାଇରେ ଜଣେ ଶୀର୍ଷ କ୍ରିକେଟର ଭାବରେ ସାମିଲ ଥିଲେ। ଏହି ତାରକା ୧୯୧ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ୫୦୦ ୱିକେଟ୍‌ ନେବା ସହ ୮୮୮୦ ରନ୍‌ କରିଥିଲେ। ନାସିକରେ ଜନ୍ମ ଗ୍ରହଣ କରିଥିବା ନାଦକର୍ଣ୍ଣି ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିଲା ବେଳେ ସେହି ସମାନ ଦଳ ବିପକ୍ଷରେ ଅକ୍‌ଲାଣ୍ଡ୍‌ରେ ୧୯୬୮ରେ ଅବସର ନେଇଥିଲେ।