ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତ। ଚଳିତ ମାସ ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କର ଦୁଇଦିନିଆ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ତେବେ ବାତ୍ୟାର ସମ୍ଭାବନାକୁ ନଜରରେ ରଖି ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି।
ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଏହି ସମୟରେ ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଚିଠି ଜାରି ହୋଇଥିବା ଜଣାପଡ଼ିଛି।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣିଥରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପଟେ, ରାଷ୍ଟ୍ରପତିଙ୍କ ଗସ୍ତ ସହ ଜଡ଼ିତ ଚିକିତ୍ସା ଶିବିରର କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ମହତାବ ଭବନ ଓ ସଞ୍ଜୀବ ନେତ୍ରାଳୟରେ ବହୁ ବିଶେଷଜ୍ଞ ଅସ୍ତ୍ରୋପଚାର ଶିବିର ଆୟୋଜନ ହେବାର ଯୋଜନା ରହିଥିଲା। ଏବେ ଏହି ଶିବିର ନଭେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ, ପରିସ୍ଥିତିକୁ ଦେଖି ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ କରାଯାଇପାରେ।
