Odia News Portal

ଆଜିଠୁ ଦିନ ରାତି ଖୋଲା ରହିବ ମଲ-ପବ-ରେଷ୍ଟୁରାଣ୍ଟ ଓ ଦୋକାନ

ମୁମ୍ବାଇ : ଆଜିଠୁ ମାୟାନଗରୀ ମୁମ୍ବାଇରେ ଦିନ ରାତି ଖୋଲା ରହିବ ମଲ । କେବଳ ମଲ ନୁହଁ ପବ, ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ୨୪ ଘଣ୍ଟା ଖୋଲିବ । ପାଇଲଟ ପ୍ରୋଜେକ୍ଟ ଭାବେ ତିନୋଟି ସହରକୁ ପ୍ରଥମେ ନିଆଯାଇଛି । ସେଗୁଡିକ ହେଲା ନାରିମନ ପଏଣ୍ଟ, କାଲା ଘୋଡା ଓ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ । ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଏହା ବଡ ପ୍ରୋଜେକ୍ଟ ।

ଏହାଦ୍ୱାରା ନୂଆ ନିଯୁକ୍ତି ସୃଷ୍ଟି ହେବ । ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ରୋଜଗାର ବୃଦ୍ଧି ହେବ । ବିଶେଷକରି ଘର ମାଲିକ, ରୋଷେୟା, ହୋଟେଲ ଓ ରେଷ୍ଟୁରାଣ୍ଟରେ କାମ କରୁଥିବା କର୍ମଚାରୀ, ସିକ୍ୟୁରିଟି ଗାର୍ଡ, ସେଲସ୍ ଟିମ୍‌, କଳାକାର, ଗମନାଗମନ ଓ ଟୁର ଅପରେଟର କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଓ ମାଲିକମାନେ ବେଶୀ ଉପକୃତ ହେବେ ।

ଏହାସହ ନୂଆ ନୂଆ ଉଦ୍ୟୋଗୀ ରୋଜଗାରକ୍ଷମ ହେବା ସହ ଅନେକଙ୍କୁ ନିଯୁକ୍ତି ଦେଇପାରିବେ । ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ । ବିଶ୍ୱରେ ମୁମ୍ବାଇର ପରିଚୟ ମଧ୍ୟ ବଦଳିବ । ଏଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ନୋଟିସ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ସହ ଗମନାଗମନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଆଦିତ୍ୟ ଠାକରେ । ଏହି ତିନି ସହରରେ ସଫଳ ହେଲେ ଅନ୍ୟ ସହରରେ ମଧ୍ୟ ୨୪ ଘଣ୍ଟା ଖୋଲିବା ବ୍ୟବସ୍ଥା ହେବ ।