ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ଅକବାନ’… ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହୁଛି। ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିବା ବେଳେ, ଝଟକା ପବନର ବେଗ ୯୦ କିଲୋମିଟର ରହିଥିଲା। ଆଗାମୀ ୩ ଘଣ୍ଟା ମଧ୍ୟରେ ବାତ୍ୟା ‘ଅକବାନ’ ଗଭୀର ଅବପାତରୁ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
ବାତ୍ୟା ‘ଅକବାନ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ… ଗତ ୨୪ ଘଣ୍ଟାରେ ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ହିଞ୍ଜିଳିକାଟୁରେ ୨୦୬, ଚିକିଟିରେ ୧୯୯ ଏବଂ ଗୋପାଳପୁରରେ ୧୮୯ ମିଲିମିଟର ବର୍ଷା ହୋଇଛି। ଲଗାଣ ବର୍ଷାକୁ ନଜରରେ ରଖି ସତର୍କ ରହିଛି ପ୍ରଶାସନ। ଚିଲିକାକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବାତ୍ୟା ଓ ବର୍ଷା ଜନିତ ବିପଦକୁ ମୁକାବିଲା କରିବା ପାଇଁ ଜାରି ରହିଛି ଉଦ୍ଧାର ଓ ସୁରକ୍ଷା ଅଭିଯାନ। ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ କର୍ମଚାରୀମାନେ ସ୍ଥାନୀୟ ପୁଲିସର ସହଯୋଗରେ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଉପର କିଲାବାଡ଼ି ଓ ତଳ କିଲାବାଡ଼ି ଗ୍ରାମରୁ ୯୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।
ସେପଟେ ବାତ୍ୟା ‘ଅକବାନ’ର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହେଉଛି। ସହରରେ ଜାରି ରହିଛି ଝିପିଝିପି ବର୍ଷା। ଅନ୍ୟପଟେ ପୁରୀ ଓ ଚନ୍ଦ୍ରଭାଗା ସମୁଦ୍ରକୂଳ ଅଶାନ୍ତ ହୋଇଉଠିଛି। ରାତି ତମାମ ବର୍ଷା ପରେ ଆଜି ଢେଉର ଉଚ୍ଚତା କିଛିଟା ହ୍ରାସ ପାଇଥିଲେ ମଧ୍ୟ, ସମୁଦ୍ରକୂଳକୁ ଯିବା ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି। ବ୍ରହ୍ମପୁରର ଆର୍ଯ୍ୟପଲ୍ଲୀ ନିକଟରେ ମଧ୍ୟ ସମୁଦ୍ର ରହିଛି ଅଶାନ୍ତ। ସମୁଦ୍ରରେ ଉଚ୍ଚ ଢେଉ ସହ ଝିପିଝିପି ବର୍ଷା ଓ ପବନ ଜାରି ରହିଛି। ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ହ୍ରାସ ନପାଇବା ପର୍ଯ୍ୟନ୍ତ ସମୁଦ୍ରକୂଳ ଅଞ୍ଚଳରେ ସତର୍କ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି।
ବାତ୍ୟା ‘ଅକବାନ’ ଦୁର୍ବଳ ହେଉଥିଲେ ମଧ୍ୟ ବର୍ଷା, ପବନ ଓ ସମୁଦ୍ରର ଅଶାନ୍ତି ଜାରି ରହିଛି। ତେଣୁ ଜରୁରୀ ନଥିଲେ ଘରୁ ବାହାରକୁ ନଯିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅପିଲ୍ କରାଯାଇଛି।