ଭୁବନେଶ୍ୱର : ସମ୍ମାନ କିମ୍ବା ପୁରସ୍କାର ନୁହେଁ, ପାଠକଙ୍କ ପ୍ରଶଂସା ହିଁ ଲେଖକ ବା କବି ପାଇଁ ପ୍ରକୃତ ଆତ୍ମସନ୍ତୋଷ ଦେଇଥାଏ । ଆଜି ଉଦଘାଟିତ ହୋଇଥିବା ଦୁଇ ଦିନିଆ ସୋଆ ଲିଟେରାରୀ ଫେଷ୍ଟିଭାଲରେ ଏହା କହିଛନ୍ତି ବିଶିଷ୍ଟ ଲେଖକ, କବି ଏବଂ ସାହିତ୍ୟିକ । ଏହି ସାହିତ୍ୟ ମହାକୁମ୍ଭ କେବଳ ଏକ ଲିଟେରାରୀ ଫେଷ୍ଟିଭାଲ ନ ହୋଇ ସାହିତ୍ୟ ଏବଂ ସମାଜ ପାଇଁ ଏକ ନୂଆ ସୂର୍ଯ୍ୟୋଦୟ ହେଉ ବୋଲି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ସମାରୋହରେ ମତ ପ୍ରକାଶ ପାଇଥିଲା ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଆନୁକୂଲ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ସୋଆ ସାହିତ୍ୟ ମହାକୁମ୍ଭ ତଥା ସୋଆ ଲିଟେରାରୀ ଫେଷ୍ଟିଭାଲ୍-୨୦୨୦ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ମୋଟ୍ ୨୬ଟି ଅଧିବେଶନ ସହ ଯୋଗଦେବେ ଶତାଧିକ ବକ୍ତା ।
ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାହିତ୍ୟିକ ଏହି ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେଇଥିଲେ। ଏହାକୁ ଡଃ ସୀତାଂଶୁ ଯଶଚନ୍ଦ୍ର ଉଦଘାଟନ କରିଥିଲେ। ବିଖ୍ୟାତ ସାହିତ୍ୟିକ ପଦ୍ମଶ୍ରୀ ଡଃ ସୀତାଂଶୁ ୟଶଚନ୍ଦ୍ର ଆଜି ସାହିତ୍ୟରେ ଯୁବପୀଢିଙ୍କ ରୁଚି କମ ହେଉଥିବାର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଯୁବପୀଢିଙ୍କ ସାହିତ୍ୟ ପ୍ରତି ରୁଚି କମ ହେବାରେ ଲାଗିଛି। ଯାହା ବାସ୍ତବରେ ଦୟନୀୟ ସ୍ଥିତିରେ ରହିଛି। ଯୁବପୀଢି ଆଗକୁ ଆସି ସାହିତ୍ୟକୁ ସମୃଦ୍ଧ କରିବା ଆବଶ୍ୟକ।
ସରସ୍ୱତୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବାସଦେବ ମୋହୀ କହିଥିଲେ ଯେ, ସାହିତ୍ୟ ସମାଜର ଦର୍ପଣ ଉକ୍ତିକୁ ସେ ବିଶ୍ୱାସ କରନ୍ତି ନାହିଁ। କାରଣ ସାହିତ୍ୟ ବାସ୍ତବିକତା ଓ କଳ୍ପନାକୁ ନେଇ ଗଠିତ। ଏହାର ସୁନ୍ଦରତା ସର୍ବଶ୍ରେଷ୍ଠ ସଂଯୋଜନା ଉପରେ ନିର୍ଭର କରେ। ସେହିପରି ବିଶିଷ୍ଟ ଲେଖକ ଡଃ ତରୁଣକାନ୍ତି ମିଶ୍ର ଓ ସାନ୍ତାଳି ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ କେନ୍ଦ୍ରୀୟ ସାହିକ୍ୟ ଏକାଡେମୀ ପୁରସ୍କାର ୨୦୧୯ ପାଇଁ ମନୋନୀତ କରାଯାଇଛି। ଏହି ଅବସରରେ ସେମାନଙ୍କୁ ସମ୍ବର୍ଧନ କରାଯାଇଥିଲା।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଆରକେ ଚୌହାନ କହିଥିଲେ ଯେ, ଦୁଇ ଦିନିଆ ଲିଟେରାରୀ ଫେଷ୍ଟିଭାଲରେ ଶତାଧିକ ସାହିତ୍ୟିକ ସେମାନଙ୍କ ବିଚାର ରଖିବେ। ସେହିପରି ଡଃ ଗାୟତ୍ରୀବାଳା ପଣ୍ଡା ଅତିଥୀଙ୍କର ସ୍ୱାଗତ କରିଥିଲେ। ଏତତ୍ ବ୍ୟତୀତ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ, ଇଣ୍ଚରନ୍ୟାଶନାଲ ଆଡମିଶନସ୍ ନଚିକେତା ଶର୍ମା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ସୋଆର ସଂସ୍ଥାପକ ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ସହ ଅନେକ ବିଶିଷ୍ଟ ଲେଖକ, ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
