ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ଖଣ୍ଡଗିରି କୁମ୍ଭ ମେଳାର ଭିଡ଼କୁ ଲକ୍ଷ୍ୟ କରି କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି । ପରାମର୍ଶ ଅନୁସାରେ ଫେବ୍ରୁଆରୀ ୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି ଛକରୁ ଜୟଦେବବାଟିକା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବ । ଜାତୀୟ ରାଜପଥ କଡ଼ରେ କୌଣସି ବ୍ୟକ୍ତି ଗାଡି ପାର୍କିଂ କରିପାରିବେ ନାହିଁ । ଏହି ନିୟମ ଯଦି କୌଣସି ବ୍ୟକ୍ତି ନ ମାନନ୍ତି ତାହେଲେ ତାଙ୍କ ଠାରୁ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯିବ । ତା’ଛଡା ପାର୍କିଂ ପାଇଁ ୩ ଟି ଜାଗା ଚିହ୍ନଟ କରାଯାଇଛି । ଗୋଟିଏ ହେଲୋ ହୋଟେଲ୍ ଖାରବେଳ ସମ୍ମୁଖ । ସୁଲଭ ଶୌଚାଳୟ (ହାପି କିଡ୍ ସ୍କୁଲ୍ ସମ୍ମୁଖ) ଓ ଗ୍ରୀନ୍ ଆର୍ଥ ନର୍ସରୀ ଲେନ୍ରେ ଉଭୟ କାର୍ ଓ ବାଇକ୍ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ୍ ପୁଲିିସ୍ ।
ଟ୍ରକ୍ (ଭାରୀ ଯାନ) ଚଳାଚଳ ଉପରେ ମଧ୍ୟ କଟକଣା ରହିଛି । ସନ୍ଧ୍ୟା ୫ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ଖଣ୍ଡଗିରି ଛକ ଦେଇ କୌଣସି ଟ୍ରକ୍ ଯାଇ ପାରିବ ନାହିଁ । ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୁ କଟକ ଯାଉଥିବା ସମସ୍ତ ଗାଡ଼ି ପିତାପଲ୍ଲୀ ଦେଇ କଟକ ବାଲିକୁଦାରେ ପହଞ୍ଚିବ (ଭାୟା ଚନ୍ଦକା-ବାରଙ୍ଗ) । ସେହିଭଳି କଟକରୁ ଖୋର୍ଦ୍ଧା ଯାଉଥିବା ସମସ୍ତ ଭାରୀଯାନ ବାଲିକୁଦା ଦେଇ ବାରଙ୍ଗ, ଚନ୍ଦକା , ପିତାପଲ୍ଲୀ ଦେଇ ଜାତୀୟ ରାଜପଥରେ ପହଞ୍ଚିବ । ପେବ୍ରୁଆରୀ ୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି ।
