ଭୁବନେଶ୍ୱର : ଆଜି ଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୫ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ପାଣିପାଗବିତ୍ମାନେ ଏଭଳି ପୂର୍ବାନୁମାନ କରିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚ୍ ଆର୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।
କୃଷି ପାଣିପାଗବିତ୍ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୩ରୁ ୪ ତାରିଖ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ୫ ଓ ୬ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । ପୁରୀ, କଟକ ଓ ଭୁବନେଶ୍ୱର ସମେତ ସଂଲଗ୍ନ ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହେବ । ୭ ଓ ୮ ତାରିଖରେ ସାରା ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ । ଖୋର୍ଦ୍ଧା ଓ ତା’ର ଉତ୍ତରରେ ଥିବା ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷାର ପ୍ରକୋପ ଅଧିକ ରହିବ । ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବ । ୫ରୁ ୮ ତାରିଖ ମଧ୍ୟରେ ୪ ଦିନରେ ଭୁବନେଶ୍ୱର ଓ କଟକର ସମୁଦାୟ ବର୍ଷା ୪୦ ମିଲିମିଟର ମଧ୍ୟରେ ରହିବ । ଅବିଭକ୍ତ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ସମୁଦାୟ ବର୍ଷା ୫୦ ମିଲିମିଟରରୁ ଅଧିକ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ । ୪ ତାରିଖରୁ ସ୍ୱାଭାବିକଠୁ ତାପମାତ୍ରା ସାମାନ୍ୟ ବଢ଼ିବ । ୬ ଓ ୭ ତାରିଖ ମଧ୍ୟରେ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଶୀତ ବା ଥଣ୍ଡା ଲାଗିବ ନାହିଁ । ୫ ପରେ ପୁଣି ଶୀତ ଲେଉଟିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି, ଆଜି ଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୪ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୭ରୁ ୯ ତାରିଖ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ତାପମାତ୍ରା କମିବା ସହିତ ପାଗ ଥଣ୍ଡାଳିଆ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି । ରବିବାର ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଟିଟିଲାଗଡ଼ରେ ୧୧ ଡିଗ୍ରୀ ସେଲସିୟସ୍, କେନ୍ଦୁଝରରେ ୧୧.୪ ଡିଗ୍ରୀ ସେଲସିୟସ୍, ଅନୁଗୁଳରେ ୧୨ ଡିଗ୍ରୀ ସେଲସିୟସ୍, ଝାରସୁଗୁଡ଼ାରେ ୧୨.୪ ଡିଗ୍ରୀ ସେଲସିୟସ୍ ଓ ତାଳଚେରରେ ୧୨.୫ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିଥିଲା ।
