Odia News Portal

ଅଧିକ ଆକ୍ସନ ମୋଡ୍‌ରେ ନଜର ଆସିବେ ଟାଇଗର

ବାଗୀ ଓ ବାଗୀ ୨ର ଅପୂର୍ବ ସଫଳତା ପରେ ପୁଣିଥରେ ପରଦାକୁ ଆସିବାକୁ ଯାଉଛି ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବାଗୀ ୩’। ଏହି ଫିଲ୍ମର ଟ୍ରେଲର ଆସିବା ପୂର୍ବରୁ ଜାରି ହୋଇଛି ପୋଷ୍ଟର। ଫିଲ୍ମ ନିର୍ମାତା ଆଜି ବାଗୀ ୩ର ପ୍ରଥମ ପୋଷ୍ଟର ଜାରି କରିଛନ୍ତି। ଆଉ ପୂର୍ବଥର ଭଳି ଏହି ପୋଷ୍ଟରର ଲୁକ୍‌ ମଧ୍ୟ ଦମ୍‌ଦାର ରହିଛି। ଏହି ଫିଲ୍ମରେ ଟାଇଗର ଶ୍ରଫଙ୍କ ତିନିଗୁଣ ଅଧିକ ଆକ୍ସନ ଦେଖିବାକୁ ମିଳିବ। କୁହାଯାଉଛି ଯେ ଏହି ଫିଲ୍ମରେ ଏମିତି ଆକ୍ସନ ସିନ୍‌ ରହିଛି ଯାହା ଦର୍ଶକେ ପୂର୍ବରୁ କେବେ ବି ଦେଖି ନଥିବେ।

ଫିଲ୍ମ ନିର୍ମାତା ‘ବାଗୀ ୩’ର ପୋଷ୍ଟରକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏଥିରେ କ୍ୟାପସନ୍‌ ଦେଇଛନ୍ତି ‘ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଶତ୍ରୁ ବିପକ୍ଷରେ, ତାଙ୍କର ସବୁଠାରୁ ବଡ଼ ଲଢ଼େଇ। ଏକ ରାଷ୍ଟ୍ର ବିପକ୍ଷରେ ଠିଆ ହେବ ବାଗୀ। ରନି ଇଜ୍‌ ବ୍ୟାକ୍‌। ବାଗୀ ୩ର ଟ୍ରେଲର ଆସିବ ଫେବ୍ରୁଆରୀ ୬ରେ।’ ଏହି କ୍ୟାପସନ୍‌ରୁ ବୁଝାପଡ଼ୁଛି ଯେ ଦର୍ଶକଙ୍କୁ ବାଗୀର ଟ୍ରେଲର ପାଇଁ ଆହୁରି ୩ ଦିନ ଅପେକ୍ଷା କରିବାକୁ ପଡ଼ିବ।

ବାଗୀ ୩ର ପୋଷ୍ଟରରେ ଟାଇଗର ଶ୍ରଫ୍‌ ଏକ ଆର୍ମି ଟ୍ୟାଙ୍କର ସାମ୍ନାରେ ଠିଆ ହୋଇଛନ୍ତି। ମାତ୍ର ତାଙ୍କ ପିଠି ଦର୍ଶକଙ୍କ ସାମ୍ନାରେ ରହିଛି। ଅର୍ଥାତ୍‌ ପୋଷ୍ଟରରେ ସେ ପିଠି କରି ଠିଆ ହୋଇଛନ୍ତି। ବାଗୀ ୩ ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର ନଜର ଆସିବେ। ଏହି ଫିଲ୍ମକୁ ନାଡିୟାଡବାଲା ଗ୍ରାଣ୍ଡସନ୍‌ ନିର୍ମାଣ କରୁଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅହମ୍ମଦ ଖାନ୍‌।