Odia News Portal

ଟ୍ରାଫିକ ଭିଡରେ ଶିଶୁ ଜୀବନ ଯିବାପରେ ପୁଲିସ୍‍ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର : ଟ୍ରାଫିକ ଭିଡରେ ଫଶି ଆମ୍ବୁଲାନ୍ସ ଭିତରେ ୫ବର୍ଷ ଶିଶୁର ଜୀବନ ଚାଲିଯିବାପରେ ଏବେ ପୁଣିଥରେ କମିଶନରେଟ ପୁଲିସ୍‍ର ପାରିବା ପଣିଆ ଉପରେ ପ୍ରଶ୍ନ ଲାଗିଛି । ପୁଲିସ୍‍ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଟୁଇଟକୁ ନେଇ ଚର୍ଚ୍ଚା । ସାଗରିକା ଟୁଇଟ୍‍ କରି ଜାପାନର ଆମ୍ବୁଲାନ୍ସ କରିଡର ଭିଡିଓ ଜାରି କରିଥିବାବେଳେ ସୁଧାଂଶୁ ଟୁଇଟ୍‍ କରି ସବୁ ଠିକ୍‍ କରିଦେବେ ବୋଲି ଆଶ୍ୱାସନା ଦେଇଛନ୍ତି । ସୋସିଆଲ ମିଡିଆରେ ନିଜକୁ କମିଶନରେଟ ପୁଲିସ୍‍ର ବ୍ରାଣ୍ଡ୍‍ ଆମ୍ବାସଡର ସଜାଇଥିବା ଦୁଇ ଅଧିକାରୀଙ୍କ ଏଭଳି ଟୁଇଟ୍‍କୁ ଲୋକେ ଏବେ ରାସ୍ତାଘାଟରେ ସମାଲୋଚନା କଲେଣି ।

ନିକଟରେ ବିନା ହେଲମେଟରରେ ରାଲି କରିଥିବା ବିଜେଡି କର୍ମୀଙ୍କ ନିକଟରୁ ୨୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା କମିଶନରେଟ ପୁଲିସ୍‍ କାହିଁକି ଆମ୍ବୁଲାନ୍ସର ବାଟ ଓଗାଳିଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ପ୍ରଶ୍ନବାଚୀ । କାରଣ ଭିଡରେ ଆମ୍ବୁଲାନ୍ସ ଫଶିଥିବାବେଳେ ଆଗରେ ଥିବା ଲୋକେ ବାଟ ଛାଡୁନଥିଲେ । ଫଳରେ ଗାଡିରେ ଥିବା ପିଲାର ଦାଦା ରାସ୍ତାରେ ହାତଯୋଡି ସମସ୍ତଙ୍କୁ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ । କଳିଙ୍ଗହସ୍ପ୍‍ିଟାଲ ଛକରେ ଏହି ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ସେଠାରେ ଟ୍ରାଫିକ ପୁଲିସ୍‍ମାନେ ଥିଲେ ବି ତୁରନ୍ତ କେହି ରାସ୍ତା କ୍ଲିୟର କରିନଥିଲେ । ଏହି ଛକରେ ସିସିଟିଭି ଲାଗିଛି । ତେଣୁ ଯେଉଁମାନେ ଆମ୍ବୁଲାନ୍ସକୁ ବାଟ ଛାଡିନଥିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ସହିତ ହତ୍ୟା ମାମଲା ରୁଜୁପାଇଁ ବି ଲୋକେ ମତ ଦେଉଛନ୍ତି ।

ପୁରୁଷ ବନ୍ଧୁଙ୍କ ସହିତ ବନ୍ଧୁକରେ ଖେଳି ଆହତ ହୋଇଥିବା ଯୁବତୀଙ୍କୁ ପୁଲିସ୍‍ କମିଶନର ତତ୍କାଳ ୨୫ହଜାର ଟଙ୍କାର ସହାୟତା ଯୋଗାଇ ଦେଇଥିବାବେଳେ କାହିଁକି ଛୋଟ ପିଲାଟିର ଜୀବନ ନେଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନବାଚୀ ଉଠିଛି । ଉପସ୍ଥିତ ଟ୍ରାଫିକ ପୁଲିସ୍‍ ଯଦି ରାସ୍ତା କ୍ଲିୟର କରିଥାନ୍ତେ ତେବେ ହୁଏତ ପିଲାଟିର ଅମୂଲ୍ୟ ଜୀବନ ବଞ୍ଚିଯାଇଥାନ୍ତ । ରାଜଧାନୀବାସୀ ଏବେ ପଚାରୁଛନ୍ତି ଯେ କମିଶନରେଟ ପୁଲିସ୍‍ ଏହି ଦୁଇ ଅଧିକାରୀ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ବିଭିନ୍ନ ସଭା ସମିତିରେ ଯେଭଳି ଭାବେ ଯୋଗ ଦେଉଛନ୍ତି ଓ ଗଣମାଧ୍ୟମରେ ତାହାର ଜୋରଦାର ପ୍ରଚାର ହେଉଛି ସେଥିରୁ କାଣିଚାଏ ଯଦି ରାଜଧାନୀର ରାସ୍ତାଘାଟରେ ଦେଖାନ୍ତେ ତେବେ ଆମ୍ବୁଲାନ୍ସ ଭିତରେ ଛୋଟ ପିଲାଙ୍କର ଜୀବନ ଯାଆନ୍ତା ନାହିଁ ।

କିଛି ଲୋକଙ୍କ କହିବାକଥା ଯେ ବଡ ବଡିଆମାନେ ରାସ୍ତାରେ ସାଇରନ ମାରି ଗଲାବେଳକୁ ପୁଲିସ୍‍ କମିଶନର ସାବାସୀ ନେବାପାଇଁ ଯେଭଳି ଗାଡିଚାଳକମାନଙ୍କୁ ଘଉଡାଉଛନ୍ତି ଓ ଖରାରେ ଘଣ୍ଟା ଘଣ୍ଟା ଛିଡା କରାଉଛନ୍ତି ଆମ୍ବୁଲାନ୍ସ ଆସିଲା ବେଳକୁ ତାହା ଦେଖିବାକୁ ମିଳୁନାହିଁ । ଏଭଳି ପୁଲିସ୍‍ ବାବୁମାନଙ୍କୁ ତୁରନ୍ତ ରାଜଧାନୀରୁ ଅନ୍ୟତ୍ର ହଟାଇ ଦେବାପାଇଁ ବି କିଛିଲୋକ ମତ ଦେଉଛନ୍ତି । ରାଜଧାନୀରେ ଟ୍ରାଫିକ ବିଭ୍ରାଟ ନୂଆକଥା ନୁହେଁ, ହେଲେ ଭିଡ ଭିତରେ ଫଶି ଆମ୍ବୁଲାନ୍ସ ଭିତରେ ଶିଶୁର ପ୍ରାଣଯିବା ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାକର । ତେଣୁ ପୁଲିସ୍‍ ବାବୁମାନେ ଫେସ୍‍ବୁକ୍‍ ଓ ଟୁଇଟର ଛାଡି ରାସ୍ତାକୁ ଆସି ସ୍ଥିତି ସମ୍ଭାଳିବାପାଇଁ ଅନେକ ମତ ଦେଉଛନ୍ତି ।