ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରଭାବ ସେତେଟା ଅନୁଭୂତ ହେଉନଥିବା ବେଳେ, ଆଗକୁ ଆସୁଛି ପାଗରେ ବଡ଼ ପରିବର୍ତ୍ତନ। ନଭେମ୍ବର ମାସର ଶେଷ ଆଡ଼କୁ ରାଜ୍ୟରେ ଧୀରେ ଧୀରେ ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୨୮ ତାରିଖରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାତିରେ ଥଣ୍ଡା ଅଧିକ ଅନୁଭୂତ ହେବ।ଉପକୂଳ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିପାରେ। ଉତ୍ତର ଭାରତରୁ ପ୍ରବାହିତ ଶୁଷ୍କ ଓ ଥଣ୍ଡା ପବନ ରାଜ୍ୟର ରାତିର ତାପମାତ୍ରାକୁ ତଳକୁ ଖସାଇବ। ନଭେମ୍ବର ଶେଷ ସପ୍ତାହରୁ ଶୀତ ଅନୁଭୂତ ହେବା ସହ ଡିସେମ୍ବର ମାସରେ ଜାଡ଼ ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି।ପାଣିପାଗ ଆକଳନ ଅନୁଯାୟୀ, ନଭେମ୍ବର ୨୪ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିପାରେ। ତେବେ ୨୫ ତାରିଖରୁ କୁହୁଡ଼ି କମିବା ସହ ଆକାଶ ଅଧିକ ସ୍ପଷ୍ଟ ହେବ। ଏହାପରେ ଥଣ୍ଡା ପବନର ପ୍ରଭାବରେ ରାତିର ତାପମାତ୍ରା କମିବା ଆରମ୍ଭ କରିବ।
ଡିସେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବା ସମ୍ଭାବନା ରହିଛି। ଏଥର ଫେବୃଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଶୀତ ଜାରି ରହିପାରେ। ଯଦିଓ ମଝିରେ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିଲେ କିଛି ସମୟ ପାଇଁ ଶୀତର ପ୍ରକୋପ କମିପାରେ।ସେପଟେ ଦକ୍ଷିଣ ବଙ୍ଗୋପସାଗର ଓ ତାମିଲନାଡ଼ୁ–ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ନଭେମ୍ବର ୨୭ କିମ୍ବା ୨୮ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ପାଗ ବଦଳିବା ସମ୍ଭାବନା ରହିଛି।ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବିଜୁଳି ଏବଂ ହାଲୁକା ବର୍ଷା ହୋଇପାରେ। ତେବେ ନଭେମ୍ବର ଶେଷ ହେବା ବେଳକୁ ଶୀତର ପ୍ରଭାବ ବଢ଼ିବା ସହ ଡିସେମ୍ବରରେ ଓଡ଼ିଶାରେ ଥଣ୍ଡା ଆହୁରି ଜୋର୍ ଧରିବା ସମ୍ଭାବନା ରହିଛି।